ଥାର୍ଡ ଫ୍ରଣ୍ଟ ପାଇଁ ଚନ୍ଦ୍ରବାବୁଙ୍କ ନଜର ଏବେ ବିଜେଡି ଉପରେ, ହେଲେ ନବୀନ ଦେଉନାହାଁନ୍ତି ଧରାଛୁଆଁ
Published By : Prameya-News7 Bureau | November 09, 2018 IST
ଭୁବନେଶ୍ବର ୯|୧୧: ଦେଶରେ ଏକ ମୋଦି ବିରୋଧୀ ହାୱାକୁ ଜୋର ଦେବା ଲାଗି ବୁଲି ବୁଲି ମେଣ୍ଟ ସହଯୋଗୀ ସୃଷ୍ଟି କରିବାରେ ଲାଗିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ନିକଟରେ ରାହୁଲ, ଶରଦ, ଫାରୁକ, ମୁଲାୟମଙ୍କୁ ଗୋଟିଏ ଗୋଠକୁ ଆଣିଥିବା ଚନ୍ଦ୍ରବାବୁ ନାଇଡୁ ଓଡିଶା ଉପରେ ବି ନଜର ପକାଇଛନ୍ତି। ଶୁଣାଯାଉଛି ନାଇଡୁ ନବୀନଙ୍କୁ ଯୋଗଯୋଗ କରିଛନ୍ତି କିନ୍ତୁ ଧରାଦେଉନି ବିଜେଡି।
ସାରା ଦେଶରେ ନାରା ଦେଉଛନ୍ତି ନାଇଡୁ। ୯୬ ଫେରିବ। ମାନେ ୧୯୯୬ରେ ଯେମିତି କଂଗ୍ରେସ ବିରୋଧରେ ସବୁ ଆଞ୍ଚଳିକ ଦଳ ଏକାଠି ହୋଇ କ୍ଷମତାକୁ ଆସିଥିଲେ ଏବେ କୁଆଡ଼େ ସେମିତି ସମସ୍ତେ ଏକାଠି ହେବେ। ନଭେମ୍ବର ୨ ତାରିଖରେ ନାଇଡୁ , ରାହୁଲ, ଶରଦ ପାୱାର, ଫାରୁକ୍ ଅବଦଲ୍ଲା ଓ ଅଖିଳେଶ ମୁଲାୟମଙ୍କୁ ଗୋଟିଏ ଗୋଠକୁ ଟାଣି ଆଣିଥିଲେ। ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ କୁମାରସ୍ବାମୀଙ୍କ ସହିତ ମଧ୍ୟ କାଲି ଆଲୋଚନା କରିଥିଲେ। ସେ ବି ରେଡି। ଗର୍ଜନ ଶୁଭିଲାଣି ୨୦୧୯ରେ ୧୯୯୬ର ପରିସ୍ଥିତି ଫେରିବ।
କେବଳ ଏତିକି ନୁହେଁ ଚନ୍ଦ୍ରବାବୁ ଓଡ଼ିଶା ଉପରେ ବି ନଜର ପକାଇଛନ୍ତି। ଥାର୍ଡ ଫ୍ରଣ୍ଟରେ ନବୀନଙ୍କ ନେତୃତ୍ବାଧୀନ ବିଜେଡିକୁ ସାମିଲ କରିବା ଲାଗି ଯୋଗାଯୋଗ କରିଛନ୍ତି। ଏନେଇ ବିଜେଡି ସହିତ ଟିଡିପି ଆଲୋଚନା କରିଥିଲେ ମଧ୍ୟ ବିଜେଡି କିନ୍ତୁ ଧରାଛୁଆଁ ଦେଉନି । ହକି, ମେକ୍ ଇନ ଓଡ଼ିଶା କଥା କହି ଏଡ଼େଇ ଦେଇଛି। ତେବେ ଟିଡିପି ସହିତ କଂଗ୍ରେସ ରହିଛି। ଆଉ କଂଗ୍ରେସ ଓଡ଼ିଶାରେ ବିଜେଡିକୁ ଟକ୍କର ଦେଉଛି। ତେଣୁ ବିଜେଡି ଜଗି ରଖି ସତର୍କତାର ସହିତ ନଜର ରଖିଛି।
ପୁଣି ବିଜେଡି ସମାନ ଦୂରତା କଥା କହି କଥାକୁ ଏଡ଼େଇ ଦେଇଛି। ସେପଟେ ନବୀନଙ୍କ ପରି ମମତା ମଧ୍ୟ ଏଯାଏଁ ସ୍ପଷ୍ଟ ସିଗନାଲ ଦେଇନାହାନ୍ତି।