ରୌପ୍ୟ ଜୟନ୍ତୀ ପାଳିଲା BJD; ବୃହତ୍ତର ସ୍ବାର୍ଥ ପାଇଁ କାମ କରିବାକୁ କର୍ମକର୍ତ୍ତାଙ୍କୁ ନବୀନଙ୍କ ଆହ୍ୱାନ
26/12/2022 at 5:37 PM

ପୁରୀ ୨୬/୧୨: ଶ୍ରୀକ୍ଷେତ୍ରରେ ମହାସମାରୋହରେ ବିଜେଡି ପାଳିଛି ରୋପ୍ୟ ଜୟନ୍ତୀ ଉତ୍ସବ। ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ ହଜାରରୁ ଅଧିକ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ। ରୌପ୍ୟ ଜୟନ୍ତୀ ଉତ୍ସବରେ ନବୀନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ୨୫ ବର୍ଷ ଧରି ଦେଇଥିବା ସେବାର ସ୍ମୁତି ଚାରଣ କରିଥିଲେ।ସେ ଦଳୀୟ ନେତା ଓ କର୍ମୀମାନଙ୍କୁ ଦଳର ୨୫ ବର୍ଷ ପୁର୍ତ୍ତି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ବିଜେଡି ଏବେ ଜଣେ ଦୁଇଜଣଙ୍କ ଉପରେ ନିର୍ଭର କରୁଥିବା ଦଳ ନୁହେଁ ବରଂ ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଛି। କେବଳ ୨୫ ବର୍ଷ ପୂର୍ତ୍ତି ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ନବୀନ ଜଣାଇଛନ୍ତି। ରାଜ୍ୟର ସ୍ୱାର୍ଥ, ସ୍ୱାଭିମାନ, ସଂସ୍କୃତି, ପରମ୍ପରା ସହ ବିଜୁ ବାବୁଙ୍କ ଆଦର୍ଶକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ନାରୀ ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡିର ନେତା ଓ କର୍ମୀମାନେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୋମବାର ମଧ୍ୟାହ୍ଣ ୧୨ଟା ରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଂଚିବା ପରେ କଡ଼ା ସୁରକ୍ଷାରେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡିଙ୍କ ସହ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଞ୍ଚାସୀନ ଥିଲେ।
ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ବାର୍ଥ ପାଇଁ ଦଳର କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ବିଜେଡି କେବଳ ରାଜନୈତିକ ଦଳ କିମ୍ବା ଜଣେ ଦୁଇଜଣଙ୍କ ଉପରେ ନିର୍ଭରଶୀଳ ଦଳ ନୁହେଁ। ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। କେବଳ ୨୫ ବର୍ଷ ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ବାର୍ତ୍ତା ଦେଇଛନ୍ତି।
ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟର ପ୍ରମୁଖ ନେତୃବୃନ୍ଦ, ଛାମୁଆ ସଂଗଠନ, ମନ୍ତ୍ରୀ, ସାଂସଦ ଓ ପ୍ରାୟ ୫୦ ହଜାରରୁ ଅଧିକ ଦଳୀୟ କର୍ମକର୍ତ୍ତା ଏହି ସମାରୋହରେ ସାମିଲ ହୋଇଛନ୍ତି। ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ, ପରମ୍ପରା ଓ ବିଜୁ ବାବୁଙ୍କ ଆଦର୍ଶକୁ ରକ୍ଷା କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, କୃଷି ଇତ୍ୟାଦି କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଦିଗରେ କାର୍ଯ୍ୟ କରିବାକୁ ଦଳର ଅନ୍ୟ ନେତୃବୃନ୍ଦମାନେ ଆହ୍ବାନ ଦେଇଛନ୍ତି।
ଏହି ମହାସମାବେଶରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ନେତୃ ବୃନ୍ଦ, ଛାମୁଆ ସଂଗଠନର ମୁଖ୍ୟ, ମନ୍ତ୍ରୀ ଓ ସାଂସଦ, ପଞ୍ଚାୟତରାଜ ବ୍ୟବସ୍ଥାର ସମସ୍ତ ନିର୍ବାଚିତ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କର୍ମୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ରୁ ଅଧିକ ପୋଲିସ ଅଧିକାରୀ ମୁତୟନ ହୋଇଥିଲେ।