ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ; ୫ ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Published By : Prameya-News7 Bureau | April 03, 2024 IST

ଭୁବନେଶ୍ଵର: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେଡି ଲୋକସଭା ଆସନ ଲାଗି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ତୃତୀୟ ପର୍ଯ୍ୟାୟରେ ଦଳ ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନିକଟରେ ବିଜେପି ଏବଂ କଂଗ୍ରେସକୁ ଛାଡ଼ି ଆସି ବିଜେଡିରେ ଯୋଗ ଦେଇଥିବା ନେତାଙ୍କୁ ଦଳ ଟିକେଟ୍ ଦେଇଛି । 

 ବୁଧବାର ସକାଳେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ଦଳ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ପୂର୍ବରୁ ଏହି ଆସନ ପାଇଁ ବିଜେପି ପ୍ରଦୀପ ପାଣିଗ୍ରାହୀ ଏବଂ କଂଗ୍ରେସ ରଶ୍ମୀ ରଞ୍ଜନଙ୍କୁ ପ୍ରାର୍ଥୀ କରିଛି । ସେହିପରି ବଲାଙ୍ଗୀର ଆସନରୁ ସୁରେନ୍ଦ୍ର ସିଂ ଭୋଇ, ଗରଗଡ଼ ଆସନରୁ ପରୀନିତା ମିଶ୍ର, କେନ୍ଦୁଝର ଆସନ ପାଇଁ ଧନୁର୍ଜୟ ସିଦ୍ଦୁଙ୍କୁ ଦଳ ଟିକେଟ୍ ଦେଇଛି । ସେହିପରି ଭଦ୍ରକ ଲୋକସଭା ଆସନରେ ଦଳ ପୁଣି ଥରେ ବର୍ତ୍ତମାନର ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ଭରସା କରିଛି ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦଳ ୭୨ଟି ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏବେ ୨୭କୁ ମିଶାଇ ଏପର୍ଯ୍ୟନ୍ତ ବିଜେଡି ୯୯ଟି ବିଧାନସଭାରେ ପ୍ରାର୍ଥୀ ଘୋଷଣା କରିଛି। ଆହୁରି ୪୮ଟି ସିଟ୍‌ରେ ପ୍ରାର୍ଥୀ ଦେବା ବାକି ରହିଛି । ସେହିପରି ଲୋକସଭାରେ ୨୦ଟି ଆସନରେ ପାର୍ଟି ପ୍ରାର୍ଥୀ ଦେଇଥିବା ବେଳେ ଆଉ ଗୋଟିଏ ଆସନ ବାକି ରହିଛି।  

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.