କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ
23/05/2019 at 12:58 PM

ଭୁବନେଶ୍ବର ୨୩|୫: କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥିନୀ ଚନ୍ଦ୍ରାମୀ ମୁର୍ମୁ ଆଗୁଆ ରହିଛନ୍ତି । ଆସିକା ଲୋକସଭା ଆସନରେ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ନବୀନ ଯେମିତି ସମସ୍ତଙ୍କୁ ଚକିତ କରିଥିଲେ ଠିକ୍ ସେମିତି କେନ୍ଦୁଝର କ୍ଷେତ୍ରରେ ମଧ୍ୟ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ ନବୀନ । ବୟସ ଦୃଷ୍ଟିରୁ ଚନ୍ଦ୍ରାଣୀ ସର୍ବ କନିଷ୍ଠ ହୋଇଥିବାବେଳେ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା ।
ଚନ୍ଦ୍ରାଣୀ ପ୍ରାର୍ଥୀ ହେବା ପରେ ବିଭିନ୍ନ ବିବାଦରେ ମଧ୍ୟ ଛନ୍ଦି ହୋଇଥିଲେ । ତାଙ୍କର ବୋଲି ଏକ ମିଛ ଅଶ୍ଳୀଳ ଭିଡିଓ ଭାଇରାଲ୍ କରାଯାଇଥିଲା । ତେବେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ବିଜେପି ଆଇଟି ସେଲ୍ ର ଜଣେ କର୍ମକର୍ତ୍ତା ଓ ଦୁଇ ଜଣ ସାମ୍ବାଦିକଙ୍କ ସହ ସମୁଦାୟ ୬ଜଣଙ୍କୁ ଗିରଫ କରିଥିଲା ।
କେନ୍ଦୁଝରର ପ୍ରଭାବଶାଳୀ ନେତା ସନା ମହାକୁଡଙ୍କ ସୁପାରିଶ କ୍ରମେ ବିଜେଡି ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । କେନ୍ଦୁଝର ଲୋକସଭା ଆସନରେ ବିଜେପି ତାର ପାରମ୍ପରିକ ପ୍ରାର୍ଥୀ ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ଟିକେଟ୍ ଦେଇଥିବା ବେଳେ କଂଗ୍ରେସ ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସବୁ ବରିଷ୍ଠଙ୍କୁ ପଛରେ ପକାଇ ଚନ୍ଦ୍ରାଣୀ ଆଗୁଆ ଥିବା ଜଣାପଡିଛି ।