ପାଟକୁରା ପାଇଁ ସାବିତ୍ରୀ ହେବେ ବିଜେଡି ପ୍ରାର୍ଥୀ

Published By : Prameya-News7 Bureau | April 29, 2019 IST

ଭୁବନେଶ୍ବର ୨୯।୪:  କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟାରେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନରୁ ଦଳର ପ୍ରାର୍ଥୀ ଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିଛି । ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି । ଆସନ୍ତା ୧୯ ତାରିଖରେ ପାଟକୁରା ବିଧାନସଭା ଆସନ ନିମନ୍ତେ ନିର୍ବାଚନ ହେବ। ଏଣୁ ଦଳ ପକ୍ଷରୁ ସାବିତ୍ରୀଙ୍କୁ ପ୍ରାର୍ଥୀ କରାଯାଇଥିବା ନବୀନ ନିବାସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଧ୍ୟକ୍ଷ ଘୋଷଣା କରିଛନ୍ତି ।

ଏହି ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଦପ୍ରକାଶ ଅଗ୍ରଓ୍ବାଲ ଗତ ୨୦ ତାରିଖ ଦିନ ଇହଲିଳା ସମ୍ବରଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥ ଥିଲେ ମଧ୍ୟ ସେ ବିଜୟୀ ହେବେ ବୋଲି ଆଶା ରଖିଥିଲେ । ତେବେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ପରଲୋକ ହୋଇଥିଲା।  

ତାଙ୍କ ପରିବାର ପକ୍ଷରୁ ୨୧ ତାରିଖ ଦିନ କେନ୍ଦ୍ରାପଡା ରିଟର୍ଣ୍ଣଂ ଅଧିକାରୀଙ୍କ ନିକଟରେ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପ୍ରମାଣପତ୍ର ଦାଖଲ ହୋଇଥିଲା।   ଏହାସହ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳିର ନିର୍ବାଚନ ସ୍ଥଗିତ କରିବା ପାଇଁ  ରିଟର୍ଣ୍ଣିଂ ଅଧିକାରୀ ସଞ୍ଜୟ କୁମାର ମିଶ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଥିଲେ। ତେବେ ନିର୍ବାଚନ ନିମନ୍ତେ ତିଥି ଘୋଷଣଆ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.