'ଧରା ପଡିଯିବା ପରେ ପ୍ରଳାପ କରୁଛନ୍ତି ଗୋପାଳପୁର ବିଧାୟକ', ଜନ ବିରୋଧୀ କାର୍ଯ୍ୟର ତାଲିକା ସହ ଜବାବ୍ ରଖିଲା ବିଜେଡି

Published By : Prameya-News7 Bureau | December 01, 2020 IST

ଯେତେବେଳେ କରୋନା ମହାମାରୀରେ ଛଟପଟ ହେଉଥିଲା ଗଞ୍ଜାମ ଜିଲ୍ଲା, ସେତେବେଳେ ଚାର୍ଟର ଫ୍ଲାଇଟ୍‌ରେ ଉଡ଼ୁଥିଲେ ଗୋପାଳପୁର ବିଧାୟକ। ଯେତେବେଳେ ଜିଲ୍ଲାରେ ହଜାର ହଜାର ଲୋକ ସଂକ୍ରମଣର ଶିକାର ହେଉଥିଲେ ସେତେବେଳେ ମଉଜରେ ମାତିଥିଲେ ପ୍ରଦୀପ ପାଣିଗ୍ରାହୀ। ଆଉ ଏବେ ପାଠକ ପରିବାର ସହ ସମ୍ପର୍କ ଏବଂ ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ଅହେତୁକ ଅନୁକମ୍ପା କଥା ଧରାପଡ଼ିବା ପରେ ଦୋଷ ଘୋଡ଼ାଇବାକୁ ପ୍ରଳାପ କରୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏଥି ସହ ପ୍ରଦୀପଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି ତା’ର ତାଲିକା ଦେଇଛି ଦଳ। ସେପଟେ ଅଭିଯୋଗ ନଥାଇ ବି ତାଙ୍କୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ହଇରାଣ କରାଯାଉଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ।

ଗୋପାଳପୁର ବିଧାୟକଙ୍କୁ ବିଜେଡିର ଜବାବ୍‌। ଯେଉଁ କାରଣ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଛି ସେସବୁ ଜନ ବିରୋଧୀ କାର୍ଯ୍ୟର ତାଲିକା ଦେଲା ଦଳ। ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ, କୋଭିଡ୍‌ ଯୋଦ୍ଧାମାନେ ଦିନ ରାତି ସଂଘର୍ଷ କରୁଥିଲେ, ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପରିବାର ସହ ଦିଲ୍ଲୀର ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ। ଏସବୁ ଜନ ବିରୋଧୀ କାର୍ଯ୍ୟ ନୁହେଁ ତ ଆଉ କ’ଣ ?

ତିନି ତିନି ଥରର ବିଧାୟକ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଯେତେବେଳେ ନିଜ ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନୀର ଫେକ୍‌ ଏମଡି କହି ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଫେକ୍‌ ନିଯୁକ୍ତିପତ୍ର ବାଣ୍ଟିବା ସହ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାରେ ସହାୟତା କରିପାରନ୍ତି, ତାହା ଜନ ବିରୋଧୀ କାର୍ଯ୍ୟ ନୁହେଁ ତ ଆଉ କ’ଣ ?

ଏମିତି ଭାବେ ପ୍ରମାଣ ସହ ପ୍ରଶ୍ନବାଣରେ ଜନବିରୋଧୀ କାର୍ଯ୍ୟର ଉଦାହରଣ ଦେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପାଲଟା ଜବାବ୍‌ ଦେଇଛି ବିଜେଡି। ଏମିତିକି ପ୍ରଦୀପଙ୍କ ଆକାଣ୍ଟରୁ ପାଖାପାଖି ୧୪ରୁ ୧୫କୋଟି ଟଙ୍କା ଦେଣନେଣ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଥିବା ବିଜେଡି ମୁଖପାତ୍ର ପ୍ରତାପ ଦେବ ସୂଚନା ଦେଇଥିବା ବେଳେ ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ନିଜ ଦୋଷ ଘୋଡ଼ାଇବାକୁ ପ୍ରଳାପ କରୁଛନ୍ତି ଗୋପାଳପୁର ବିଧାୟକ

ସେପଟେ ବିଜେଡିର ଏସବୁ ପ୍ରମାଣକୁ ମାନିଛନ୍ତି ଖୋଦ୍‌ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପାଠକ ପରିବାର ସହ ଚାର୍ଟର ଫ୍ଲାଇଟ୍‌ରେ ବୁଲୁଥିବା କଥାକୁ ମାନିଥିଲେ ବି ଏହାକୁ ନେଇ ସେତେବେଳେ ତାଙ୍କୁ କାହିଁକି ପ୍ରଶ୍ନ କରାଗଲାନି ବୋଲି ସଫେଇ ଦେଇଛନ୍ତି। ଏଥି ସହ  ତାଙ୍କ ବିରୋଧରେ କୌଣସି ଅଭିଯୋଗ ନଥାଇ ବି ତାଙ୍କୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ହଇରାଣ କରାଯାଉଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ପ୍ରଦୀପ।

ପୁଳା ପୁଳା ଦୁର୍ନୀତି ଅଭିଯୋଗରେ ଲିପ୍ତ ପାଠକ ପରିବାର ସହ ସମ୍ପର୍କ, ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ଟାଟା ନିଯୁକ୍ତି ଠକେଇରେ ସହଯୋଗ ଏବଂ ଜନବିରୋଧୀ କାର୍ଯ୍ୟ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ଯେତେବେଳେ ନିଜ ଇମେଜ୍‌ ବଞ୍ଚାଇବାକୁ ଦଳ ବିରୋଧରେ, ଦଳୀୟ ନେତାଙ୍କ ବିରୋଧରେ ବିଭିନ୍ନ ଆରୋପ ଲଗାଇଛନ୍ତି ସେତେବେଳେ ଦଳ ପକ୍ଷରୁ ତାଙ୍କୁ ମୁହଁ ତୋଡ଼ ଜବାବ୍‌ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.