ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ, ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

Published By : Prameya-News7 Bureau | September 19, 2022 IST

ଭୁବନେଶ୍ୱର ୧୯।୦୯: ପରଲୋକରେ ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ ବିଷ୍ଣୁ ସେଠୀ । ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାସେ ହେଲା ଏମ୍‌ସ ମେଡିକାଲରେ ବିଷ୍ଣୁ ସେଠୀଙ୍କ ଚିକିତ୍ସା ଚାଲିଥିଲା । ହେଲେ ସୋମବାର ସକାଳ ସମୟରେ ମେଡିକାଲ ପକ୍ଷରୁ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍‌ ଆଗ୍ରହ ଥିଲା । ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ସେ ଚାକିରିରେ ଯୋଗଦେଇନଥିଲେ । ପରେ ସେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦିନ୍‌ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିଲେ । ଆଉ ଦଳକୁ ସୁଦୃଢ କରିବାରେ ଲାଗିପଡିଥିଲେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲେ । ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ପରାଜିତ ହୋଇଥିଲେ । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍‌ ଦେଇ ବିଜୟୀ ହୋଇଥିଲେ । ବିଜେପି ଦଳର ଜଣେ ଟାଣୁଆ ବିଧାୟକ ଭାବେ ବିଧାନସଭାରେ ଓ ବାହାରେ କ୍ଷମତାସୀନ ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରିଥିଲେ । ସମୟ ସମୟରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିଲେ । ବିଜେପିର ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ବିଷ୍ଣୁ ସେଠୀଙ୍କ ବିୟୋଗରେ ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗର ସମେତ ଭଦ୍ରକ ଓ ସାରାରାଜ୍ୟର ବହୁ ଅନୁଗାମୀ ଏବଂ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.