ଦେଶ ପାଇଁ ପୁଣି ଖେଳିବେ ବିରେନ୍ଦ୍ର ଲାକ୍ରା : ବଡ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଡାକିଲା ହକି ଇଣ୍ଡିଆ

Published By : Prameya-News7 Bureau | March 22, 2022 IST

ଭୁବନେଶ୍ୱର, ୨୨|୦୩:  ହକି ଇଣ୍ଡିଆକୁ ଫେରିଲେ ଅଲିମ୍ପିଆନ୍ ବିରେନ୍ଦ୍ର ଲାକ୍ରା । ଅବସର ପରେ ହକି ଫେଡେରେସନର ଡକରା ପାଇ ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ବୀରେନ୍ଦ୍ର । ତାଙ୍କ ସହ ରୁପିନ୍ଦର ପାଲସିଂହ, ବିଏସ୍ ସୁନୀଲ ମଧ୍ୟ ଅବସର ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଗକୁ ହକିର ବଡ ବଡ ଚାମ୍ପିଅନସିପ୍ ଅଛି । ତେଣୁ ଭାରତୀୟ ଦଳକୁ ସିନିୟର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦ୍ବାରା ଅଧିକ ଶକ୍ତିଶାଳୀ ହେବ ଦଳ ।

ଦେଶ ପାଇଁ ପୁଣି ଖେଳିବେ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା । ଦର୍ଶକ ଦେଖିବେ ତାଙ୍କ ହକି ଷ୍ଟିକର ଯାଦୁ । ହକି ଇଣ୍ଡିଆକୁ ଫେରିଲେ ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା । ଗତ ସେପ୍ଟେମ୍ବରରେ ସେ ଅବସର ନେଇଥିଲେ । କିନ୍ତୁ ପୁଣି ଡକରା ପାଇ ଭାରତୀୟ ହକି ଦଳରେ ସାମିଲ ହୋଇଛନ୍ତି । ଏସିଆନ୍ ହକି ଚାମ୍ପିଅନସିପ ପାଇଁ କରୁଛନ୍ତି ଅଭ୍ୟାସ । ତେବେ ବର୍ତ୍ତମାନ ସେ ଫିଜିକାଲି ଫିଟ୍ ଥିବାରୁ ଦେଶ ପାଇଁ ଖେଳିବାକୁ ପୁଣି ଥରେ ହକି ଫେଡେରେସନ ତାକୁ ଡାକିଥିବା ବିରେନ୍ଦ୍ର କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଇତିହାସ ରଚିଥିଲା ଭାରତୀୟ ହକି ଟିମ୍ । ସେତେବେଳେ ଉପ ଅଧିନାୟକ ଦାୟିତ୍ବ ତୁଲାଉଥିଲେ ବିରେନ୍ଦ୍ର ।

ବିରେନ୍ଦ୍ରଙ୍କ ସହ ରୁପିନ୍ଦର ପାଲସିଂହ, ବିଏସ ସୁନୀଲ ମଧ୍ୟ ଭାରତୀୟ ଦଳକୁ ଫେରିଛନ୍ତି । ଅବସର ପରେ ଏହି ୩ ଖେଳାଳି ଭାରତୀୟ ହକି କ୍ୟାମ୍ପକୁ ଫେରିବା ଟିମ୍ ପାଇଁ ଭଲ ଖବର । ତେବେ ଅବସର ପରେ ଦେଶ ପାଇଁ ଖେଳିବାକୁ ପୁଣି ଥରେ ସୁଯୋଗ ମିଳିବା ଇଣ୍ଡିଆନ୍ ହକି ଟିମରେ ପ୍ରଥମ ଘଟଣା । ସିନିୟର ଖେଳାଳିଙ୍କ ଅଭିଜ୍ଞତାରୁ ଦଳକୁ ନିଶ୍ଚିତ ଫାଇଦା ମିଳିବ । ଏହା ଦ୍ବାରା ଦଳର ପ୍ରଦର୍ଶନ ଭଲ ରହିବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.