୨୦ମୃତ ବିଦେଶୀ ପକ୍ଷୀ ସହ ବାଇକ ଜବତ: ଶିକାରୀ ଗିରଫ
Published By : Prameya-News7 Bureau | November 11, 2018 IST
ଖୋର୍ଦ୍ଧା ୧୧/୧୧: ଚିଲିକାରେ ଚାଲିଛି ପକ୍ଷୀ ଶିକାର , ଗୋଟେ ନୁହେଁ କି ଦୁଇଟା ନୁହେଁ ଏକା ବେଳେ ୨୦ ମୃତ ବିଦେଶୀ ପକ୍ଷୀ ସହ ବାଇକ ଜବତ ହୋଇଛି। ୨ ପକ୍ଷୀ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଚିଲିକା କୂଳ ଅଭିମାନପୁର ଜେଟି ନିକଟରୁ ୨ ଜଣ ପକ୍ଷୀ ଶିକାରୀ ଚିଲିକାର ଅତିଥି ବିଦେଶୀ ପକ୍ଷୀଙ୍କୁ ଜାଲ କିମ୍ବା ଫାଶରେ ପକ୍ଷୀ ଶିକାର କରି ବାଇକ ଯୋଗେ ବିକ୍ରୀ କରିବା ପାଇଁ ନେଇ ଯାଉଥିବା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଟିମ ଦ୍ଵାରା ଧରାପଡିଛି ।
ମରାଳ ମାଳିନୀ ନୀଳାମ୍ବୁ ଚିଲିକା ର ନୀଳ ଜଳ-ରାଶି ଏବେ ଦେଶୀ-ବିଦେଶୀ ପକ୍ଷୀଙ୍କ କଳରବ ଶବ୍ଦରେ ମୁଖରିତ ହେଉଛି । ପକ୍ଷୀଙ୍କ ଆଗମନ ହୋଇ ସାରିଲାଣି , ଶୀତର ମାତ୍ରା ମଧ୍ୟ ଧିରେ-ଧିରେ ବଢିବାରେ ଲାଗିଲାଣି । ଲକ୍ଷାଧିକ ବିଦେଶାଗତ ପକ୍ଷୀ ଚିଲିକାର ଅତିଥି ସାଜି ଏବେ-ଏବେ ପାଦ ଥାପିଛନ୍ତି । ମାଇଲ-ମାଇଲ ରାସ୍ତା ଅତିକ୍ରମ କରି ଚିଲିକାକୁ ଆସୁଥିବା ଏହି ରଙ୍ଗ-ବେରଙ୍ଗ ର ପକ୍ଷୀଙ୍କ କଳରବ ସାଙ୍ଗକୁ ଜଳକ୍ରୀଡା ଏବଂ ନୀଳାମ୍ବୁ ଚିଲିକାର ମନରୋମ ଦୃଶ୍ୟକୁ ଉପଭୋଗ କରିବାପାଇଁ ପର୍ଯ୍ୟଟକମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀ ବିଭାଗ ଯଦି ଏତେ ସଜାଗ ଅଛନ୍ତି , ତେବେ ଚିଲିକାରେ ପକ୍ଷୀ ଶିକାର ହେଉଛି କିପରି ? ଚିଲିକାରେ ଏହି ବିଦେଶୀ ପକ୍ଷୀଙ୍କ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ । ବିଭିନ୍ନ ସ୍ଥାନରେ ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇ ଜଣେ ଫରେଷ୍ଟର ଓ ୪ ଜଣ ଅସ୍ଥାୟୀ କର୍ମଚାରୀଙ୍କ କଡା ସୁରକ୍ଷା ସତ୍ତ୍ବେ କିପରି ଶିକାରୀ ଜଣକ ପକ୍ଷୀ ସୁରକ୍ଷା ବଳୟକୁ ଭେଦ କରି ପକ୍ଷୀ ଶିକାର କଲା ଓ ତାପରେ ସେସବୁକୁ ସ୍ଥାନାନ୍ତରିତ କରୁଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହି ଶିକାରୀମାନେ ଗତକାଲି ବିଳମ୍ବିତ ରାତିରେ ଚିଲିକାରୁ ପକ୍ଷୀ ଶିକାର ପରେ ଆଜି ସେସବୁକୁ ଅନ୍ୟତ୍ର ବିକ୍ରୀ ପାଇଁ ନେଉଥିଲେ । ମାତ୍ର ବନ୍ୟପ୍ରାଣୀ ବିଭାଗ ଟିମ ଦ୍ଵାରା ଧରାପଡି ଗିରଫ ହୋଇଛନ୍ତି । ଗିରଫ ଶିକାରୀମାନେ ହେଲେ ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥପୁର ଗ୍ରାମର ଗୋପୀନାଥ ପରିଡା ଓ ବାବୁଲି ପ୍ରଧାନ ।