କୋଟ୍ଟାୟମ୧୪।୧୨: କେରଳର କୋଟ୍ଟାୟମ ଜିଲ୍ଲାରେ ବାର୍ଡ ଫ୍ଲୁ ପ୍ରକୋପ କରୁଛି। ଜିଲ୍ଲାର ୨ଟି ପଞ୍ଚାୟତରେ ଏହା ବ୍ୟାପୁଥିବା ବେଳେ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳର ୧ କିଲୋମିଟର ପରିସୀମାରେ ୮ ହଜାର ବତକ, କୁକୁଡା ଓ ଘରୋଇ ପାଳିତ ପକ୍ଷୀଙ୍କୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ମାସକ ପୂର୍ବରୁ ବାର୍ଡ ଫ୍ଲୁ ପହଞ୍ଚି ସାରିଥିଲା। ଘଟଣା ଜଣା ପଡିବା ପରେ ପାଖାପାଖି ୨୦ ହଜାର ପକ୍ଷୀଙ୍କୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।
ଜିଲ୍ଲା କଲେକ୍ଟର ପି.କେ.ଜୟଶ୍ରୀ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଉପୁଜିଥିବା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ପ୍ରଭାବିତ କ୍ଷେତ୍ରର ୧ କିଲୋମିଟର ଅଞ୍ଚଳରେ ପକ୍ଷୀଙ୍କୁ ଧରି ପଶୁପାଳନ ବିଭାଗଙ୍କ ଦେଖରେଖରେ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପିଆରଡିଙ୍କ ଏକ ବିଜ୍ଞପ୍ତି ଅନୁସାରେ ଅଧିକାରୀମାନଙ୍କୁ ଅଞ୍ଚଳ କିଟାଣୁ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଏହା ଛଡା ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳର ୧୦ କିଲୋମିଟର ଭିତରେ ଚିକେନ, ବତକ, ଅନ୍ୟ ଘରୋଇ ପକ୍ଷୀ, ଅଣ୍ଡା, ମାଂସ ଆଦି ବିକ୍ରି ଓ ପରିବହନ ଉପରେ କଟକଣା ଜାରି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଅରପୁକାରାର ଏକ ବତକ ଫାର୍ମ ଓ ଥଲାୟଝମର ଏକ ବ୍ରଏଲର ଫାର୍ମରେ ବତକ ଓ କୁକୁଡାମାନଙ୍କର ଅସ୍ୱଭାବିକ ମୃତ୍ୟୁ ଘଟଣା ଜଣା ପଡିବା ପରେ ଏଠାରୁ ନମୁନା ସଂଗ୍ରହ କରି ଭୋପାଲ ସ୍ଥିତ ପଶୁରୋଗ ପ୍ରୟୋଗଶାଳା ଜାତୀୟ ସଂସ୍ଥାନରେ ପରୀକ୍ଷଣ ଲାଗି ପଠାଯାଇଥିଲା। ସେଠାରେ ବାର୍ଡ ଫ୍ଲୁ ପୁଷ୍ଟି ହେବା ପରେ ଏବେ ସତର୍କତା ଅବଲମ୍ବନ କରାଯାଉଛି। ପ୍ରଭାବିତ ପଞ୍ଚାୟତରେ ପକ୍ଷୀଙ୍କୁ ତୁରନ୍ତ ମାରିବା ପାଇଁ ପଶୁପାଳନ ବିଭାଗ ଦ୍ୱାରା ରାପିଡ ରେସ୍ପନ୍ସ ଟିମ ଗଠନ କରାଯାଇଛି।