ଭିତର କନିକା ଜାତୀୟ ଉଦ୍ୟାନରେ ପକ୍ଷୀଗଣନା, ସାମିଲ ହେବେ ଛାତ୍ରଛାତ୍ରୀ
6/01/2023 at 8:07 AM

କେନ୍ଦ୍ରାପଡା ୦୬/୦୧: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କୁ ଠାବ କରି ଗଣନା କରିବା ପାଇଁ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ପାଇଥିବା କର୍ମଚାରୀ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ଏଥିପାଇଁ ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଅଧିର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ପକ୍ଷୀଗଣନା ସମ୍ପର୍କିତ ତାଲିମ୍ ଦିଆଯାଇଥିଲା ।
ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବନାଞ୍ଚଳ ଅଧିକାରୀଙ୍କ ସହିତ ପକ୍ଷୀ ବିଷାରଦ ମାଇକେଲ ପିଟର, ସେଞ୍ଚୁରିୟାନ ୟୁନିଭରସିଟିର ପ୍ରାଣୀବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଭିତର କନିକାରେ ପକ୍ଷୀଗଣନା ପାଇଁ ୧୭ଟି ଟିମ ଗଠନ କରାଯାଇଛି । ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ,ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମୀ, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦ ଡିଆ, କାଳିଭଂଜ, ଡିଆ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ବତୀଘର, ରାଜଗଡ ପ୍ରଭୃତି ଅଞ୍ଚଳରେ ଗଣନା କାର୍ଯ୍ୟ କରାଯିବ।
ପ୍ରତି ଟିମକୁ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚଏଫ ପ୍ରଭୃତି ଯୋଗାଇ ଦିଆଯାଇଛି । ଏହାଛଡା ନଦୀରେ ଗଣନା ସମୟରେ ବୋଟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ପକ୍ଷୀଗଣନା ଗୋଟିଏ ଦିନ ପାଇଁ କରାଯିବ ।