ହାଭାର୍ଡ ବାୟୋମେଡିକାଲ ଇଞ୍ଜିନିୟରିଂ ପ୍ରଫେସର ପ୍ରସ୍ତୁତ କରିଛନ୍ତି ନାସାଲ ସ୍ପ୍ରେ, କରୋନା ସଂକ୍ରମଣ ହ୍ରାସରେ ହେବ ସହାୟକ

Published By : Prameya-News7 Bureau | July 10, 2020 IST

ମାସାଚୁସେଟସ୍‌ : ହାଭାର୍ଡ ପ୍ରାକ୍ଟିସ୍ ଅଫ ବାୟୋମେଡିକାଲ ଇଞ୍ଜିନିୟରିଂର ପ୍ରଫେସର ଡେଭିଡ୍ ଏ.ଏଡୱାର୍ଡ ଏକ ଏପରି ନାସାଲ ସ୍ପ୍ରେ ବିକଶିତ କରିଛନ୍ତି ଯାହା ବାୟୁରେ ଭାସୁଥିବା ସଂକ୍ରମଣ କଣିକାଗୁଡିକ ଶତ ପ୍ରତିଶତ ହ୍ରାସ କରିପାରୁଛି। ଏହି ସ୍ପ୍ରେ ଉଭୟ  ନିଶ୍ୱାସପ୍ରଶ୍ୱାସ ଓ ଫୁସଫୁସ୍‌କୁ ଭୂତାଣୁ ମୁକ୍ତ ରଖିବ। ଫଳରେ ସାର୍ସ କୋଭ-୨ର ସଂକ୍ରମଣ ଅନେକାଂଶରେ ପ୍ରତିହତ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରର ଆଗଧାଡିରେ ମାସ୍କ ସହିତ ପିପିଇ କିଟ୍‌ ପିନ୍ଧି କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ କୋଭିଡ-୧୯ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ପ୍ରଫେସର ଆଶାବ୍ୟକ୍ତ କରିଛନ୍ତି।

ପ୍ରଫେସର ଏଡୱାର୍ଡ ତାଙ୍କର ଏହି ନୂଆ ନାସାଲ ସ୍ପ୍ରେକୁ ‘ଫେଣ୍ଡ’   ନାମରେ ନାମିତ କରିଛନ୍ତି। ଟେକ୍‌ ଷ୍ଟାର୍ଟପ୍ ସେନସୋରୀ କ୍ଲାଉଡ ଦ୍ୱାରା ଉତ୍ପାଦିତ ଫେଣ୍ଡ ଆସନ୍ତା ସେପ୍ଟେମ୍ବର ମାସ ବେଳକୁ ବଜାରରେ ଉପଲବ୍ଧ ହେଉଥିବ। ଏହି ସ୍ପ୍ରେ ଏକ ସାଲାଇନ୍‌ ମିଶ୍ରଣ (ଲବଣାକ୍ତ କୁହୁଡି ବୋଲି କୁହାଯାଇପାରେ) ଯେଉଁଥିରେ କୌଣସି ଔଷଧ ନାହିଁ। ସମୁଦ୍ର ଜଳରୁ ମିଳୁଥିବା ପ୍ରାକୃତିକ ଲବଣରେ ପ୍ରସ୍ତୁତ ଏହି ସ୍ପ୍ରେ ନାକରେ ପ୍ରବେଶ କରାଇବା ପରେ ଭୂତାଣୁର ସମ୍ପୂର୍ଣ୍ଣ ନିରାକରଣ ହୋଇପାରୁଥିବା ଦେଖାଯାଇଛି। ଯାହାର ଗବେଷଣା ରିପୋର୍ଟ ଗତ ମଙ୍ଗଳବାର କ୍ୟୁଆରବି ଡିସ୍କଭରୀ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଏହି ଦ୍ରବଣ ଏକ ମାଇକ୍ରନଠାରୁ ମଧ୍ୟ କ୍ଷୁଦ୍ର ଭୂତାଣୁକୁ ରୋକି ପାରୁଛି ଯାହା ପାରମ୍ପରିକ ଉପାୟରେ ପ୍ରସ୍ତୁତ ଫେସ୍‌ ମାସ୍କ ଦ୍ୱାରା ପ୍ରାୟ ସମ୍ଭବ ହୋଇଥାଏ।

କମ୍ପାନୀ ଏହାର ପ୍ରଥମ ପ୍ରୟୋଗ ଏକ ୧୦ ଜଣିଆ ସ୍ୱେଚ୍ଛାସେବୀଙ୍କ ଗୋଷ୍ଠୀରେ କରିଥିଲା। ଏଥିରେ ୬୫ ବର୍ଷରୁ ଅଧିକ ଆୟୁବର୍ଗର ଲୋକଙ୍କ ସହ ଏହାଠୁ କମ୍‌ ଆୟୁବବର୍ଗର ଲୋକଙ୍କ ଠାରେ ସ୍ପ୍ରେର ପ୍ରୟୋଗ ହୋଇଥିଲା। ଏଥିରୁ ଏକ ଲିଟର ବାୟୁରେ ଅନୁନ୍ୟ ୯୯ ପ୍ରତିଶତ କ୍ଷତିକାରକ ଭୂତାଣୁଙ୍କୁ ଫୁସ୍‌ଫୁସ୍‌ରେ ପହଞ୍ଚିବାକୁ ରୋକି ପାରିଥିବା ପ୍ରମାଣିତ ହୋଇଥିଲା। ଏଥିରେ ଏପରି ବି ଭୂତାଣୁଙ୍କୁ ରୋକା ଯାଇପାରିଥିଲା ଯାହା ସାଧାରଣ ମାସ୍କରେ ବି ଛାଣି ହୋଇପାରି ନଥାନ୍ତେ।

ଏଥିରୁ ଫେଣ୍ଡ ସାର୍ସ କୋଭ-୨ ବିପଦରେ ଥିବା ଲୋକଙ୍କ ଲାଗି ନିଶ୍ଚିତ ସହାୟକ ହୋଇପାରିବ ବୋଲି ଏହାର ଉତ୍ପାଦନକର୍ତ୍ତା ସେନସୋରୀ କ୍ଲାଉଡ୍ ଆଶାପୋଷଣ କରିଛନ୍ତି। ଏହା ଗୋଟିଏ ପକ୍ଷରେ ଶରୀରକୁ ଏପରି ମାରାତ୍ମକ ଭୂତାଣୁର ପ୍ରବେଶ ରୋକିବା ସହ ଶରୀରେ ପ୍ରବେଶ କରିସାରିଥିବା ଭୂତାଣୁକୁ ବାହାରକୁ ବାହାରିବାକୁ ଦେଉ ନଥିବା ପରୀକ୍ଷଣରୁ ଜଣାପଡିଛି। କମ୍ପାନୀ ଏହାକୁ ନିଜର ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ଲାଗି ଯୋଜନା ରଖିଛି। ଏହା ଛଡା ସାରା ବିଶ୍ୱରେ ସ୍ୱାସ୍ଥ୍ୟ ସେବାର ଆଗଧାଡିରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀ ଓ ନିତ୍ୟାନ୍ତ ଆବଶ୍ୟକ କରୁଥିବା ଲୋକଙ୍କ ଲାଗି ଉପଲବ୍ଧ କରାଯିବ। ସେହିପରି ସାରା ବିଶ୍ୱ ବଜାରରେ ମଧ୍ୟ ଏହାକୁ ଉପଲବ୍ଧ କରିବା ଲାଗି କମ୍ପାନୀ ନୀତି ପ୍ରସ୍ତୁତି ମଧ୍ୟ କରିଛି। ଏଣୁ ସେନସୋରୀ କ୍ଲାଉଡ ଉତ୍ପାଦଲାଗି ବଡଧରଣର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ ଯାଉଛନ୍ତି।

ଷ୍ଟାର୍ଟଅପ୍ ଫେଣ୍ଡର ଦୁଇଟି ପ୍ୟାକ୍‌ ଲାଗି ପ୍ରାରମ୍ଭିକ ବଜାର ମୂଲ୍ୟ ମିଷ୍ଟର ବିତରଣ ଉପକରଣ ସହିତ ୪୯ ଡଲାର ରଖିବାକୁ ଯୋଜନା କରିଛନ୍ତି। ପରବର୍ତ୍ତି ପ୍ରତି ରିଫିଲ ୬ଡଲାର ମୂଲ୍ୟରେ ଉପଲବ୍ଧ ହେବ। ଗୋଟିଏ ରିଫିଲ ୨୫୦ ଥର ଉପଯୋଗରେ ଆସିବାକୁ ଥିବା ବେଳେ ଭୂତାଣୁ ନିୟନ୍ତ୍ରଣ ଲାଗି ପ୍ରତି ୬ ଘଣ୍ଟାରେ ଥରେ ଏହାକୁ ନାକରେ ସ୍ପ୍ରେ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.