ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା ନିର୍ଭୟା ଦୋଷୀ ବିନୟ ଶର୍ମା, ମୃତ୍ୟୁ ଦଣ୍ଡ ବଦଳରେ ଆଜୀବନ ଜେଲ୍‌ ପାଇଁ ଆବେଦନ

Published By : Prameya-News7 Bureau | February 11, 2020 IST

 ନୂଆଦିଲ୍ଲୀ ୧୧/୦୨- ଆଇନର ଫାଙ୍କରେ ନୂଆ ନୂଆ ଫନ୍ଦି କରୁଛନ୍ତି ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମାନେ । ମୃତ୍ୟୁ ଦଣ୍ଡକୁ ବିଳମ୍ବିତ କରିବାର  ବିଭିନ୍ନ  ତରିକାର ବ୍ୟବହାର କରୁଛନ୍ତି । ଏହି ଚର୍ଚ୍ଚିତ ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ପୁଣି ସର୍ବୋଚ୍ଚ ଅଦାଲତଙ୍କ କବାଟ ବାଡେଇଛି । ତେବେ ଏଥର ସେ ପୁରା ନୂଆ ତରିକାରେ ।

  ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ  ବିନୟ ଯାଇଛି ସୁପ୍ରିମକୋର୍ଟ । ଅର୍ଥାତ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାର କ୍ଷମା ଯାଚିକାକୁ ଅଗ୍ରାହ କରିଥିବା ବେଳେ ତାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ବିନୟ ଶର୍ମା ।ଗତ ୧ ତାରିକରେ ରାଷ୍ଟ୍ରପତି ବିନୟର କ୍ଷମାପ୍ରାର୍ଥନାକୁ ଖାରଜ କରିଦେଇଥିଲେ । ନିଜ ଓକିଲ ଏ.ପି. ସିଂହଙ୍କ ଜରିଆରେ ସୁପ୍ରିମକୋର୍ଟରେ ପୁନର୍ବାର ଆବେଦନ କରିଥିବା  ବିନୟ ଶର୍ମା ପୁଣି ଏକ ନୂଆ ଅନୁରୋଧ ମଧ୍ୟ ରଖିଛି । ସେ ତାର ମୃତ୍ୟୁ ଦଣ୍ଡକୁ କୋହଳ କରି ଆଜୀବନ କାରଦାଣ୍ଡରେ ପରିବର୍ତ୍ତନ ଲାଗି ସେ  ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛି  ।

 ଟ୍ରାଏଲ କୋର୍ଟ ଗତ ୩୧ ତାରିଖରେ ଦେଇଥିବା ନିର୍ଦ୍ଦେଶରେ ନିର୍ଭୟା କାଣ୍ଡର ୪ ଦୋଷୀ ତଥା ତିହାର ଜେଲ୍‌ରେ ଥିବା ମୁକେଶ କୁମାର ସିଂ, ପୱନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାରଙ୍କ ଫାଶୀ ଦଣ୍ଡ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ ଲଗାଇଥିଲେ । ତେବେ ଏହି ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟ ତିନି ଜଣ ସେମାନଙ୍କର ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରିସାରିଥିବା ବେଳେ  କେବଳ ପୱନ ବର୍ତ୍ତତ୍ମାନ ସୁଦ୍ଧା କ୍ୟୁରେଟିଭ୍‌ ପିଟିସନ ଦାୟର କରିନାହିଁ । ତାହାହିଁ  କ୍ଲୋଜ ରୁମ୍‌ରେ ଶୁଣାଣୀ ହେବାର ଶେଷ ବିକଳ୍ପ । ତାପରେ ସେ ମଧ୍ୟ କ୍ଷମା ଯାଚିକା ଆବେଦନ କରିନାହିଁ ।

 ୨୦୧୨ ଡିସେମ୍ବର ୧୬ ତାରିଖରେ ଏହି ୪ ଦୋଷୀଙ୍କ ସହ  ରାମ ସିଂ ଏବଂ ଅନ୍ୟ ଜଣେ ନାବାଳକ ଏକ ଚଳନ୍ତା ବସ୍‌ରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ କରିଥିଲେ । ତାପରେ ସେମାନେ ଗୁରୁତର ଅବସ୍ଥାରେ ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ବସ୍‌ରୁ ଠେଲି ମୁର୍ମୂଷୁ ଅବସ୍ଥାରେ ଛାଡି ପଳାଇଥିଲେ । ଘଟଣାର ୧୫ ଦିନ ମଧ୍ୟରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାରେ ସବୁ ୬ ଅଭିଯୁକ୍ତ ଗିରଫ ହୋଇଥିଲେ । ମାମାଲା ଶୁଣାଣି ଚାଲିଥିବା ବେଳେ ରାମ ସିଂ ଜେଲ୍‌ ଭିତରେ ଆତ୍ମହତ୍ୟା କରିଥିଲା । ନାବାଳକ ଅପରାଧୀକୁ ସ୍ୱଧାର ଗୃହରେ ୩ ବର୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଶୁଣାଣୀ କରିଥିବା ଫାଷ୍ଟ ଟ୍ରାକ କୋର୍ଟ ୨୦୧୩ ସେପ୍ଟେମ୍ବରରେ ୪  ଅଭିଯୁକ୍ତ ମୁକେଶ କୁମାର ସିଂ, ପୱନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଆଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.