ଭୁବନେଶ୍ବର ଏୟାରପୋର୍ଟକୁ ଲେଜର ଆକ୍ରମଣ ଭୟ, ବାଣିଜ୍ୟ ଓ ପରିବହନ ରିପୋର୍ଟ

Published By : Prameya-News7 Bureau | November 28, 2021 IST

ଭୁବନେଶ୍ବର ୨୮।୧୧:  ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲେଜର ଆକ୍ରମଣ ଭୟ। ଭୁବନେଶ୍ବର ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣର ଭୟ ରହିଛି। ବିଭିନ୍ନ ସମୟରେ ବିମାନବନ୍ଦରର ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଥିବାବେଳେ ଖୋଦ ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଚିନ୍ତାବ୍ୟକ୍ତ କରିଛି।

ବିଭାଗର ବିବରଣୀ କହୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ଆନ୍ତର୍ଜାତିକ ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣ ଆଶଙ୍କା ରହିଛି। ରିପୋର୍ଟରେ ଅର୍ଥନୈତିକ ଅବନତି ଦିଗ ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଇଛି।୨୦୨୦-୨୧ ଆର୍ଥିକ ବର୍ଷରେ ବିମାନବନ୍ଦରର ରାଜସ୍ବ ବହୁ ପରିମାଣରେ କମିଛି। ଖାଲି ସେତିକି ନୁହେଁ ଉଭୟ ବିଦେଶୀ ଓ ଘରୋଇ ଯାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ରାଜ୍ୟ ସରକାର ପୁରୀରେ ଦ୍ବିତୀୟ ତଥା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବାବେଳେ ବିଭାଗର ଏହି ତଥ୍ୟ ରାଜ୍ୟର ସବୁଠୁ ବଡ଼ ତଥା ଗୁରୁତ୍ବପୂର୍ଣ୍ଣ ବିମାନବନ୍ଦର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଗତ ୨୪ ତାରିଖରେ ବିଭାଗ ପକ୍ଷରୁ ରାଜ୍ୟ ଅର୍ଥନୈତିକ ଓ ପରିସଂଖ୍ୟାନ ନିର୍ଦେଶକଙ୍କୁ ଲେଖାଯାଇଥିବା ଚିଠିରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ୨୦୨୦-୨୧ ବର୍ଷ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ବିବରଣୀ ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ଏହି ତଥ୍ୟ ସଂଗୃହୀତ ହୋଇଥିଲା। କରୋନା ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ମାସରୁ ଜାତୀୟ ଓ ଆନ୍ତର୍ଜାତିକ ବିମାନ ଉଡ଼ାଣ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା। ରାଜ୍ୟରେ ଦୁଇଟି ବିମାନବନ୍ଦର ଓ ୧୯ଟି ଏୟାରଷ୍ଟ୍ରିପ ( ବିମାନ ଅବତରଣ ପଡ଼ିଆ) ରହିଛି। ଏଠାରୁ ଦେଶର ୧୨ଟି ସହରକୁ ସଂଯୋଗ ରହିଛି।

୨୦୧୯-୨୦ ବର୍ଷରେ ରାଜ୍ୟରେ ୬୦୭ଟି ଆନ୍ତର୍ଜାତିକ ବିମାନ ଅବତରଣ କରିଥିବାବେଳେ ୭୧ ହଜାର ୪୨ ବିଦେଶୀ ଯାତ୍ରୀ ଆସିଥିଲେ। ୨୦୨୦-୨୦୨୧ରେ ମାତ୍ର ୮୯ ଆନ୍ତର୍ଜାତିକ ବିମାନ ଅବତରଣ କରିଥିଲା ଏବଂ ୬୧୩୨ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସେହିପରି ୨୦୧୯-୨୦ରେ ୩୬ ଲକ୍ଷ ୮ ହଜାର ୪୯୪ ଘରୋଇ ଯାତ୍ରୀ ଆସିଥିବାବେଳେ ୨୦୨୦-୨୧ରେ ୧୫ ଲକ୍ଷ ୬୬ ହଜାର ୩୮୫ ଯାତ୍ରୀ ଆସିଥିଲେ। ୨୦୧୯-୨୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦର ୧୬୯.୫୨ କୋଟି ଟଙ୍କାର ରାଜସ୍ଵ ଆୟ କରିଥିବାବେଳେ ୨୦୨୦-୨୧ ବର୍ଷରେ ମାତ୍ର ୭୭.୮୪ କୋଟି ଟଙ୍କାର ରାଜସ୍ୱ ଆୟ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.