ଭଦ୍ରକ: ଟୋଲ୍ ଗେଟ୍ରେ ଆଦାୟ ହେଉଛି ଟଙ୍କା, କିନ୍ତୁ ଯାଉନି ସରକାର କିମ୍ବା ରାଜପଥ ପ୍ରାଧିକରଣ ବିଭାଗ ପାଖକୁ । ଏହି କଥା ଆମେ କହୁ ନାହୁଁ, ଟୋଲ୍ ଗେଟ୍ରେ କାମ କରୁଥିବା କର୍ମଚାରୀ ହିଁ ଏହି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଠାରେ ରହିଛି ଭାଗଡା ନାରାୟଣ ଟୋଲ୍ ଗେଟ୍ । ଏହି ଟୋଲ୍ ଗେଟ୍ ପରିଚାଳନା କରୁଛି ରଞ୍ଚୋଡ୍ ଇନଫ୍ରା ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ । ପ୍ରାୟ ସାତ ମାସ ହେବ ଏଠାରେ ଦାୟିତ୍ୱ ନେବା ପର ଠାରୁ କର୍ମଚାରୀଙ୍କୁ ଶ୍ରମ ବିଭାଗ ଦ୍ଵାରା ନିର୍ଦ୍ଧାରିତ ମଜୁରୀ ଦିଆଯାଉ ନାହିଁ । ଯେଉଁଥି ପାଇଁ ପ୍ରାୟ ମାସେ ହେଲାଣି ଆନ୍ଦୋଳନ କରୁଛନ୍ତି ଟୋଲ୍ କର୍ମଚାରୀ ।
କେବଳ ଏତିକି ନୁହେଁ ଟୋଲ୍ ଆଦାୟରେ ଠକାମୀର ଅଭିଯୋଗ ମଧ୍ୟ ଆଣିଛନ୍ତି ଟୋଲ୍ କର୍ମଚାରୀ । ଓଭରଲୋଡିଂ ବାବଦକୁ ଫାଇନ୍ ଟଙ୍କା ଆଦାୟ ବେଳେ କେତେକ କର୍ମଚାରୀ ନିଜ ଆକାଉଣ୍ଟରେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଜାତୀୟ ରାଜପଥ ପ୍ରାଧିକରଣର ନିୟମ ଅନୁଯାୟୀ ଓଭର ଲୋଡିଂ ହେଲେ ଅତିକମରେ ୨୦ ହଜାର ଟଙ୍କାର ଜରିମାନା ସହ ଟନ୍ ପିଛା ୨ ହଜାର ଟଙ୍କା ଆଦାୟ କରିବା କଥା । ଯଦି ନିର୍ଦ୍ଧାରିତ ଟଙ୍କା ଠାରୁ କମ ଆଦାୟ କରାଯାଉଛି ତେବେ ସରକାରୀ ରାଜକୋଷକୁ ଟଙ୍କା ଯାଉନଥିବ ।
ପୁଣି ଦାୟିତ୍ୱରେ ଥିବା ସଂସ୍ଥା ଦ୍ୱାରା ଆଦାୟ ହେଉଥିବା ଜରିମାନାର ମେମୋରେ ରସିଦ ନମ୍ବର ମଧ୍ୟ ନାହିଁ । ଅଭିଯୋଗର ସତ୍ୟତା କେତେ ଓ ନିୟମ କଣ ରହିଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ଉଠିଛି ।