ହାର୍ଡ ଇମ୍ୟୁନିଟିରେ କରୋନା ମହାମାରୀ ସମାପ୍ତ ହେବ ନାହିଁ ,କରୋନା ଭ୍ୟାକସିନ ଉତ୍ପାଦନରେ ଭାରତର ସହଯୋଗ ଅତି ଆବଶ୍ୟକ: ବିଲ୍ ଗେଟ୍ସ
15/09/2020 at 4:26 PM

ନୂଆଦିଲ୍ଲୀ ୧୫।୦୯: ମାଇକ୍ରୋସଫ୍ଟର ସହସଂସ୍ଥାପକ ବିଲ ଗେଟ୍ସ କହିଛନ୍ତି ହାର୍ଡ ଇମ୍ୟୁନିଟିରେ କରୋନା ମହାମାରୀ ସମାପ୍ତ ହେବ ନାହିଁ, ଏଥିପାଇଁ ଭ୍ୟାକସିନର ଆବଶ୍ୟକତା ରହିଛି। ସେ ଏହା ମଧ୍ୟ କହିଛନ୍ତି ଭ୍ୟାକସିନରେ ଭାରତୀୟ ଔଷଧ ଉଦ୍ୟୋଗର ବଡ ଭୂମିକା ରହିବ କାରଣ ଭାରତ ପାଖରେ ସ୍ଵଳ୍ପ ମୂଲ୍ୟରେ ଭଲ ଗୁଣବତ୍ତାର ଟୀକା ବଡ ପରିମାଣରେ ଉତ୍ପାଦନ କରିବାର କ୍ଷମତା ରହିଛି।
କଣ ଭ୍ୟାକସିନ ଟୀକା ଭାଇରସଠୁ ଲୋକଙ୍କୁ ସବୁଦିନ ପାଇଁ ସୁରକ୍ଷିତ ରଖି ପାରିବ ? ଏହାର ଉତ୍ତରରେ ବିଲ୍ ଗେଟ୍ସ କହିଛନ୍ତି ଏମିତି ଅନୁମାନ ଲଗାଇବା ତରବରିଆ ହେବ। ସଂପ୍ରତି ଆମ ପାଖରେ ଆଣ୍ଟିବଡିର ଅବଧି ଏବଂ ଟି ସେଲ୍ର ପ୍ରତିକ୍ରିୟାକୁ ନେଇ ଅଧିକ ତଥ୍ୟ ନାହିଁ। ଅନେକ ଭ୍ୟାକସିନର କ୍ଲିନିକଲ ପରୀକ୍ଷଣ ଜାରି ରହିଛି ଏବଂ ଆଉ କିଛି ମାସରେ ଭ୍ୟାକସିନ ପ୍ରସ୍ତୁତ ହୋଇଯିବାର ଆଶା ରହିଛି। ତା ପରେ ଯାଇ କିଛି କୁହାଯାଇ ପାରିବ।
ଭ୍ୟାକସିନ ଉତ୍ପାଦନରେ ଭାରତର ଯୋଗଦାନ ବିଷୟରେ ଉଲ୍ଲେଖ କରି ବିଲ୍ ଗେଟ୍ସ କହିଛନ୍ତି ଭାରତୀୟ ଫାର୍ମାସ୍ୟୁଟିକାଲ ଓ ଭ୍ୟାକସିନ ଉତ୍ପାଦକଙ୍କ ବଡ ଭୂମିକା ରହିଛି କାରଣ ସେମାନ ଅଳ୍ପ ଦାମରେ ଉତ୍ତମ ଗୁଣବତ୍ତାର ବଡ ପରିମାଣରେ ଭ୍ୟାକସିନ ଉତ୍ପାଦନର କ୍ଷମତା ରହିଛି। ସିରମ ଇନଷ୍ଟିଚ୍ୟୁୟଟ ଅଫ ଇଣ୍ଡିଆ ଦୁନିଆର ସବୁଠୁ ବଡ ଭ୍ୟାକସିନ ଉତ୍ପାଦନକାରୀ ସଂସ୍ଥା।
ବିଲ୍ ଗେଟ୍ସ କହିଛନ୍ତି ତାଙ୍କ ଫାଉଣ୍ଡେସନ ନିକଟରେ ସିରମ ଇନଷ୍ଟିଚ୍ୟୁୟଟ୍ ପାଇଁ ଫଣ୍ଡିଂ ଘୋଷଣା କରିଛି। ଏହାକୁ ଉପଯୋଗ କରି ସିରମ ଇନଷ୍ଟିଚ୍ୟୁୟଟ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଦେଶଗୁଡିକ ପାଇଁ ୨୦୨୧ରେ ୧୦ କୋଟି ଟୀକା ଉତ୍ପାଦନ କରି ପାରିବ।