ଭୁବନେଶ୍ବର: ଜେଏନୟୁରେ ଓଡ଼ିଆ ପାଠ୍ୟକ୍ରମ ପାଇଁ ପ୍ରତିଷ୍ଠା ହେବ ‘‘ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର’’ (ବିଜୁ ପଟ୍ଟନାୟକ ସ୍ପେଶାଲ ସେଣ୍ଟର୍ ଫର୍ ଓଡ଼ିଆ ଷ୍ଟଡିଜ୍ ) । ରାଜ୍ୟ ସରକାର ୧୦ ପର୍ଯ୍ୟାୟରେ ୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ଏନେଇ ଜେଏନୟୁ-ଓଡ଼ିଶା ସରକାର ବୁଝାମଣା ହୋଇଛି। ଗୁରୁବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜେଏନୟୁ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଦି ପଣ୍ଡିତ ଏହି ସୂଚନା ଦେଇଛନ୍ତି।
ଏହି କେନ୍ଦ୍ର ଓଡ଼ିଆ ଭାଷାର ଗବେଷଣା ନିମନ୍ତେ କାମ କରିବ। ଓଡ଼ିଆ ପାଠ୍ୟକ୍ରମ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ରରେ ଏକ ମାଷ୍ଟର ପ୍ରୋଗ୍ରାମ ଆରମ୍ଭ କରାଯିବ। ଏଥିରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ଶାସନ ବିଷୟରେ ଅଧ୍ୟୟନ କରାଯିବ। ଖାଲି ସେତିକି ନୁହେଁ ଜଗନ୍ନାଥ ସଂସ୍କୃତି, ପ୍ରାଚୀନ ଓଡ଼ିଆ ସାହିତ୍ୟର ପାଣ୍ଡୁଲିପିକୁ ମଧ୍ୟ ଅଧ୍ୟୟନ କରାଯିବ।
ଆହୁରି ପଢ଼ନ୍ତୁ: ବିଧାନସଭାରେ ଉନ୍ମୋଚିତ ହେଲା ଭାଷା ଆଇନ ପୁସ୍ତକ, ମୁଖ୍ୟମନ୍ତ୍ରୀ କଲେ ଉନ୍ମୋଚନ
ତେବେ ଆଲୋଚନା ସମୟରେ ପ୍ରଫେସର ପଣ୍ଡିତ, ଓଡ଼ିଶାରେ ପ୍ରତ୍ୟେକ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି। ଆହୁରି ମଧ୍ୟ ସେ ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରଚାର ଏବଂ ଓଡ଼ିଶା ବାହାରେ ଏହାର ପରିସର ବିସ୍ତାର କରିବାକୁ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ ଆହୁରି କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପାଇଁ ଜେଏନୟୁରେ ଥିବା ସ୍ୱତନ୍ତ୍ର କେନ୍ଦ୍ର ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ଆହୁରି ମଧ୍ୟ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ପ୍ରଶଂସା କରିବା ସହ ବିଜୁ ବାବୁ ଏକକ ଭାବରେ ଓଡ଼ିଶାର ଗୌରବବୁକ ବିଶ୍ବ ସ୍ତରରେ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି। ଆଲୋଚନା ସମୟରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।