ଆଇଓସିଏଲ ଅଫିସ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ
4/10/2018 at 10:14 AM

ଭୁବନେଶ୍ବର ୪|୧୦: ଆଇଓସିଏଲ ଅଫିସ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ । ଉଜ୍ବଳା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦଳର ଏହି ବିକ୍ଷୋଭ ପ୍ରଦର୍ଶନ। ଉଜ୍ବଳା ଯୋଜନାରେ ଯେତିକି ସିଲିଣ୍ଡର କନେକ୍ସନ ଦିଆଯାଉଛି ତାର ମାତ୍ର ୧୫ ପ୍ରତିଶତ ରିଫିଲିଙ୍ଗ ହେଉଛି ବାକି ୮୫ ପ୍ରତିଶତ ସିଲିଣ୍ଡର କଳା ବଜାରରେ ବିକ୍ରି ହେଉଛି ବୋଲି ଅଭିଯୋଗ କରିଛି ମହିଳା ବିଜେଡି । ସେହିଭଳି ସବସିଡି ଅର୍ଥ ଠିକ୍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ । କେନ୍ଦ୍ର ସରକାରଙ୍କ ବହୁ ପ୍ରସାରିତ ଏହି ଯୋଜନା ଓଡ଼ିଆ ମହିଳାଙ୍କ ପ୍ରତି ବିଶ୍ବାସଘାତକ କହିବା ସହିତ ପେଟ୍ରୋଲ, ଡିଜେଲ ପରି ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଲୋକେ ଗ୍ୟାସ କିଣିବା ପାଇଁ ସକ୍ଷମ ହେଉନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ରନ୍ଧନ ଗ୍ୟାସ ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଯାହା ଓଡ଼ିଶାର ଗରିବ ମହିଳାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ମେ ୨୦୧୪ ରୁ ୨୦୧୭ ମଧ୍ୟରେ ଗୋଟିଏ ସିଲିଣ୍ଡର ପିଛା ଥିବା ଦର ୧୬ପ୍ରତିଶତ ବୃଦ୍ଧିପାଇଛି । ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି ୨୦୧୪ରୁ ଏପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ମୂଲ୍ୟ ୨୨ ଥର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।