ନୂତନ ସଂସଦ ଭବନ ଉଦଘାଟନରେ ସାମିଲ ହେବ ବିଜେଡି, ସାଂସଦ ସସ୍ମିତ୍ ପାତ୍ର ଦେଲେ ସୂଚନା
24/05/2023 at 9:05 PM

ଭୁବନେଶ୍ୱର, ୨୪/୦୫: ମଇ ୨୮ରେ ହେବାକୁ ଥିବା ନୂଆ ସଂସଦ ଭବନର ଉଦଘାଟନୀ ସମାରୋହରେ ସାମିଲ ହେବ ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ୍ ପାତ୍ର ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶିରୋମଣୀ ଅକାଳୀ ଦଳ ଓ ଆନ୍ଧ୍ର ପ୍ରଦେଶରେ କ୍ଷମତାରେ ଥିବା ଓ୍ବାଇଏସଆର କଂଗ୍ରେସ ମଧ୍ୟ ନୂତନ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଘୋଷଣା କରିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଭବନ ଉଦଘାଟନକୁ ବିରୋଧ କରି କଂଗ୍ରେସ, ଆମ ଆଦମୀ ପାର୍ଟୀ ସମେତ ୧୯ ବିରୋଧୀ ଦଳ ସମାରୋହକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏପରି ସ୍ଥିତିରେ ଅକାଳୀ ଦଳ ଏବଂ ଓ୍ବାଇଏସଆର କଂଗ୍ରେସ ଏବଂ ବିଜେଡିର ସମାରୋହରେ ଯୋଗଦେବା, ବିରୋଧୀଙ୍କ ବୟକଟ୍ ମଧ୍ୟରେ କେନ୍ଦ୍ରକୁ ଆଶ୍ବସ୍ତି ଦେଇଛି ।
ସମାରୋହରେ ସାମିଲ୍ ହେବାକୁ ନେଇ ଅକାଳୀ ଦଳ ନେତା ଦଲଜୀତ ସିଂହ ଚୀମା କହିଥିଲେ ଯେ ‘‘ନୂଆ ସଂସଦ ଭବନ ଉଦଘାଟନ ଦେଶ ପାଇଁ ଗର୍ବର ବିଷୟ, ଏଥିପାଇଁ ଶିରୋମଣୀ ଅକାଳୀ ଦଳ ମଇ ୨୮ରେ ଉଦଘାଟନ ସମାରୋହରେ ସାମିଲ୍ ହେବ। ଆମେ ବିରୋଧୀ ଦଳ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗ ସହ ସହମତ ନୁହେଁ।’’ ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ଓ୍ବାଇଏସଆର କଂଗ୍ରେସ ମଧ୍ୟ ନୂତନ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗଦେବ। ଓ୍ବାଇଏସଆରସିପିର ସଂସଦୀୟ ଦଳର ମୁଖ୍ୟ ଭିଜୟସାଇ ରେଡ୍ଡୀ ଯୋଗଦେବେ।
ସୂଚନାଥାଉକି, ନୂତନ ସଂସଦ ଭବନର ଉଦଘାଟନ ମଇ ୨୮ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।