ବିଜେପୁରରେ ରଣହୁଙ୍କାର –ପ୍ରାର୍ଥିପତ୍ର ଦାଖଲ କଲେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ

Published By : Prameya-News7 Bureau | September 30, 2019 IST

ବରଗଡ/ରାଉରକେଲା/ବିଜେପୁର ୩୦।୦୯-  ସରିଲା ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ । ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଏହା ସହିତ ବହୁଜନ ସମାଜବାଦି ପାର୍ଟି ଓ କିଛି ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୭ ଜଣ ଓହ୍ଲାଇଛନ୍ତି ମଇଦାନକୁ। ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନାମାଙ୍କପତ୍ର ତୁଙ୍ଗ ନେତାଙ୍କ ଗହଣରେ ଦାଖଲ କରିଛନ୍ତି । ଏଥିପାଇଁ ଦଳ ପକ୍ଷରୁ ଆୟୋଜିତ ବିଶାଳ ପଟୁଆରରେ ସାମିଲ ହୋଇଥିଲେ ଦଳର ବହୁ ହେଭିୱେଟ ନେତା ।

{"id":164698,"width":562,"height":324}

ରୀତାଙ୍କ ଜୋଶ୍‌ ବଢାଇବାକୁ ବିଜେଡିର ଡଜନେରୁ ଅଧିକା ବିଧାୟକ ଓ ମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ ବେଳେ ରୀତାଙ୍କ ସହ ସାମିଲ ହୋଇଥିଲେ । ଯେହେତୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଆସନରୁ ଜିତି ପରେ ଛାଡିଛନ୍ତି ସେଥିପାଇଁ ବିଜେଡି ବିଜେପୁରକୁ ସମ୍ମାନର ପ୍ରଶ୍ନ ଭାବେ ଧରିଛି । ସେହିଦୃଷ୍ଟିରୁ ରୀତାଙ୍କ ନାମାଙ୍କନ ଶୋଭାଯାତ୍ରାରେ ଦଳ ଶକ୍ତି ପ୍ରଦର୍ଶନ କରିବାରେ ସାମାନ୍ୟ ବି ଅବହେଳା କରି ନ ଥିଲା।

{"id":164701}

ସେପଟେ ବିଜେପିରୁ ସନତ ଗଡତିଆ ବି ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସାଧାରଣ ନିର୍ବାଚନରେ ସନତ ଗଡତିଆ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇ ୫୩ ହଜାରରୁ ଅଧିକା ଭୋଟ ହାତେଇଥିଲେ । ଏଥର ତାଙ୍କ ଉପରେ ପୁଣି ଭରସା କରିଛି ଦଳ । ସନତଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେପି ବି ବିଶାଳ ରାଲି ବାହାର କରିଥିଲା । ବିଜେପି ରାଜ୍ୟସଭାପତିଙ୍କ ଠାରୁ ବିରୋଧିଦଳ ନେତାଙ୍କ ପର୍ଯ୍ୟନ୍ତ ଦଳର ବହୁ ବଡନେତା ସନତ ଗଡତିଆଙ୍କ ସହ ନାମାଙ୍କନ ଭରିବା ବେଳେ ସାଥିରେ ଥିଲେ ।

{"id":164705,"width":573,"height":327}

କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବି ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନୂଆ ଚେହେରା ହିସାବରେ ଦିଲ୍ଲୀପଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଦିଲ୍ଲୀପ ବି ଜିଲ୍ଲା କଂଗ୍ରେସ ସଂଗଠନ ସହ ବହୁ ଦିନରୁ ଜଡିତ ଅଛନ୍ତି । ସୁବଳ ସାହୁ ଲଗାତର ୩ ଥର ସେଠାରୁ ଜିତି ବିଜେପୁରକୁ କଂଗ୍ରେସ ଗଡ କରିଥିଲେ ବି ତାଙ୍କ ଦେହାନ୍ତ ପରେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡି ଯିବାପରଠୁ କଂଗ୍ରେସ ସ୍ଥିତି ଦୋହଲିଯାଇଛି । ଗତ ୨ଟି ନିର୍ବାଚନରେ ସବୁ ଫର୍ମୁଲା ଫେଲ ମାରିବା ପରେ ଏଥର ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ନିର୍ବାଚନକୁ ଓହ୍ଲାଇଛି । ଆଜି ଦିଲ୍ଲୀପଙ୍କ ନାମାଙ୍କନ ପତ୍ର ଦାଖଳବେଳେ ପ୍ରଦୀପ ମାଝି, ପ୍ରକାଶ ଦେବତା, ସତ୍ୟଭୁଷଣ ସାହୁ ଆଦି ଅନେକ ନେତା ସାମିଲ ହୋଇଥିଲେ ।

{"id":164706,"width":529,"height":289}

ଏବେ ହେବ ବିଜେପୁରରେ ଦମଦାର ଲଢେଇ । ୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୪ ତାରିଖରେ ନେତାଏ କ୍ୟାମ୍ପ ପକାଇବା ଆରମ୍ଭ କରିଦେବେ । ତାପରେ ପ୍ରଚାର ମୈଦାନ ହେବ ସରଗରମ ।

{"id":164708,"width":550,"height":322}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.