କୋଭିଡ଼ ମୁକାବିଲା ନେଇ ମକ୍ଡ୍ରିଲ୍ ସରିଛି, ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି- ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
26/12/2022 at 12:50 PM

ଭୁବନେଶ୍ୱର ୨୬।୧୨ : କୋଭିଡ୍ ମୁକାବିଲା ପାଇଁ ରବିବାର ମକଡ୍ରିଲ୍ ହୋଇଛି । ସମସ୍ତ ସିଡିଏଓଙ୍କ ସହ ଆଲୋଚନା ବି ହୋଇଛି । ଆମ ପାଖରେ ଲୋକବଳ କେତେ ଅଛି ସେନେଇ ଆଲୋଚନା ହୋଇଛି। ଯଦି ଅଧିକ ଲୋକବଳ ଆବଶ୍ୟକ ପଡେ । ସେଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହ ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ୍ କାର୍ଯ୍ୟକ୍ଷମ କରାଯାଇଛି। ତାହା ଭିତରେ ଆକ୍ସିଜେନ ବ୍ୟବସ୍ଥା ଥିବା ବେଡ୍ ଅଧିକ ରଖାଯାଇଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଷ୍ଟିଂ ଓ ଚିକିତ୍ସା ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି । ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଓ ମୁକାବିଲା ନେଇ ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ହକି ବିଶ୍ଵକପ ପାଇଁ ଆହୁରି ସମୟ ଅଛି। ସେତେବେଳେ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ। ତେଣୁ ଏବେଠାରୁ ଆକଳନ କରି କିଛି ନିଷ୍ପତି ନେବା ଭୁଲ୍ ହେବ।
ତେବେ ହକି ଖେଳାଳିଙ୍କ ପ୍ରତି ଯେଉଁ SOP ଅଛି , ତାହା ହକି ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେବ। ୩ ଦିନ ପୂର୍ବରୁ ନାଜାଲ ଟିକାକୁ ଅନୁମତି ଦିଆଯାଇଛି । ଗୋଟିଏ ନାଜାଲ୍ ଟିକାରେ ଦୁଇଟି ଡୋଜ୍ ଥାଏ। ପ୍ରଥମେ ଘରୋଇ ହସ୍ପିଟାଲରେ ଏହା ଦିଆଯିବ। ରାଜ୍ୟକୁ ନାଜାଲ ଟିକା ଆସିଛି ନା ନାହିଁ ସେନେଇ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡକୁ ତଥ୍ୟ ମଗାଯାଇଛି।