ମୁହଁ ଖୋଲିଲେ ବିଧାୟକ ବିଜୟ ଶଙ୍କର, କହିଲେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ

Published By : Prameya-News7 Bureau | July 18, 2022 IST

ଭୁବନେଶ୍ୱର ୧୮/ ୦୭: ବିଧାୟକଙ୍କ ପ୍ରେମ କାହାଣୀରେ ନୂଆ ନୂଆ ଟ୍ୱିଷ୍ଟ ଆସିବାରେ ଲାଗିଛି । ପ୍ରେମିକା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ବିଧାୟକ ବିଜୟ ଶଙ୍କର ଦାସ । ସେ କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି । ମୋ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ । ଷଡ଼ଯନ୍ତ୍ର ହୋଇଛି ମୋ ବିରୋଧରେ । ତଦନ୍ତ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ଏ ଯାଏଁ ମୋତେ ନୋଟିସ ଆସିନି କ୍ରାଇମବ୍ରାଞ୍ଚରୁ । ନୋଟିସ ଆସିଲେ ମୁଁ ତଦନ୍ତର ସାମ୍ନା କରିବି ବୋଲି କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସୂଚନା ଥାଉକି, ତିର୍ତ୍ତୋଲ ବିଧାୟକ ତଥା ନିଜ ପ୍ରେମିକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା ସୋମାଲିକା ଦାଶ ।

ଏଥରକ ସୋମାଲିକା ଡାକରେ ନିଜ ଏତଲା ଜଗତସିଂହପୁର ଥାନାକୁ ପଠାଇଛନ୍ତି । ଏତଲାରେ କିନ୍ତୁ ଗତ ମେ’ ମାସ ୧୩ ତାରିଖ ଉଲ୍ଲେଖ କରାଯାଇଛି । ଅର୍ଥାତ୍‌ ଉକ୍ତ ଦିନ ଜଗତସିଂହପୁର ଥାନା ପରିବର୍ତ୍ତେ ଏଭଳି ଗୁରୁତର ଅଭିଯୋଗ ସେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କରିଥିଲେ । ପରେ ସେ ଏହି ଅଭିଯୋଗ ଉପରେ ଜଗତସିଂହପୁର ଥାନାକୁ ମାମଲାକୁ ଆଗକୁ ନବଢ଼ାଇବାକୁ ଲେଖି ଜଣାଇ ଦେଇଥିଲେ ।

ସମ୍ଭବତଃ ସେଥିପାଇଁ ସେଦିନର ଏହି ସଙ୍ଗୀନ ଅଭିଯୋଗକୁ ଜିଲ୍ଲା ପୁଲିସ ମୁଖ୍ୟାଳୟ କିମ୍ବା ଜଗତସିଂହପୁର ଥାନା ପକ୍ଷରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇ ନଥିଲା । ଏହା ପରେ ଅବଶ୍ୟ ଉଭୟ ସୋମାଲିକା ଓ ବିଜୟ ଶଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର୍‌ଙ୍କ କୋର୍ଟରେ ଆବେଦନ କରିଥିଲେ । ତେବେ ବିବାହ କରିବାର ଆଇନଗତ ଅବଧି ନସରୁଣୁ ପୁଣି ଝଡ଼ ସୃଷ୍ଟି ହୋଇଥିଲା ।

ବିଶେଷକରି ଆପତ୍ତି ଅଭିଯୋଗ ଦାଖଲ ନିମନ୍ତେ ମାସକର ମହଲତ ଶେଷ ହେବା ଦିନ ସୋମାଲିକା ଜିଲ୍ଲା ସବ୍‌ ରେଜିଷ୍ଟ୍ରାର୍‌ଙ୍କ କୋର୍ଟରେ ପହଞ୍ଚିଥିଲେ ସୁଦ୍ଧା ବିଜୟ ଶଙ୍କରଙ୍କ ଦେଖା ମିଳିନଥିଲା । ପୋଲିସ ତତ୍କାଳ ଏକ ମାମଲା ରୁଜୁ କରି ୧୬୧ ଧାରାରେ ସୋମାଲିକାଙ୍କ ବୟାନ ରେକର୍ଡ କରିବାକୁ ତତ୍ପରତା ଦେଖାଇଥିଲା ।

ହେଲେ କିଛି କାରଣ ଦର୍ଶାଇ ସୋମାଲିକା ନିଜ ବୟାନ ରଖିବାକୁ କିଛି ଦିନ ମହଲତ ନେଇଥିଲେ । ଏବେ ବୟାନ ଦେବା ପରିବର୍ତ୍ତେ ସୋମାଲିକାଙ୍କ ପକ୍ଷରୁ ପୁଣି ଗତ ମେ’ ମାସ ୧୩ ତାରିଖ ଏତଲା ଉପରେ ମାମଲା ରୁଜୁ କରିବାକୁ ଜଗତସିଂହପୁର ଥାନାର ଦୃଷ୍ଟି ଆକର୍ଷଣ କରାଯାଇଛି । ଆହୁରି ମଧ୍ୟ ଅଭିଯୋଗ କରାଯାଇଛି ଯେ, ବିଧାୟକ କୁଆଡେ ପୁରୀରେ ଗୁପ୍ତଭାବେ ବିବାହ କରିବାକୁ ଯୋଜନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.