୧୫ରୁ ୧୮ ବର୍ଷ ପିଲାଙ୍କୁ ଭ୍ୟାକ୍‌ସିନେସନ୍‌ ପ୍ରସ୍ତୁତି : ସ୍କୁଲରେ ହୋଇପାରେ ଟିକାକରଣ, କରିବାକୁ ପଡିବ ପଞ୍ଜିକରଣ

Published By : Prameya-News7 Bureau | December 27, 2021 IST

ଭୁବନେଶ୍ୱର ୨୭।୧୨ : ୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର ୨୮୪ଜଣ ପିଲାଙ୍କୁ ଦିଆଯିବ କରୋନା ଭ୍ୟାକ୍‌ସିନ୍‌ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ୬୦ ବର୍ଷରୁ ଅଧିକ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କୁ ମଧ୍ୟ ପ୍ରତିଷେଧକ ଡୋଜ ଦିଆଯିବ । ୭ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ।

ତେବେ ୧୫ ରୁ ୧୮ ବର୍ଷର ଯେଉଁମାନେ ଟିକା ନେବେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ ।  ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ । ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ । ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକ ମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ  । ଅନୁମତି ପାଇଥିବା ଦୁଇଟି ଟୀକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟୀକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ମାର୍ଗଦର୍ଶୀକା ଆସିବା ପରେ ସ୍ପଷ୍ଟ ହେବ। 

ସେହିପରି ନିୟମ ଅନୁସାରେ ଯିଏ ଯେଉଁ ଟୀକା ନେଇଛନ୍ତି । ପ୍ରତିଷେଧକ  ଡୋଜ (ବୁଷ୍ଟର) ହିସାବରେ ସେହି ଟୀକା ନେବା କଥା । ବର୍ତ୍ତମାନ ୨୬୦୦ ସେସନ ସାଇଟରେ ଟିକାକରଣ ଚାଲିଛି। ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ ବୁଲି ଟୀକା କରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ ୩୦ ଲକ୍ଷ ଲୋକ ବାକି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.