ଓମିକ୍ରନ୍ ନୂଆ ଭାରିଆଣ୍ଟ ହୋଇ ଆସିଛି, ଏବେ ଯାଏଁ ଭାରତରେ ଚିହ୍ନଟ ହୋଇନି- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | November 30, 2021 IST

ଭୁବନେଶ୍ୱର ୩୦।୧୧ : NCDC ଓ CDC ଗାଇଡ଼ଲାଇନ ଅନୁସାରେ ଏ ଭୂତାଣୁର ବାସ୍ତବ ସଂଖ୍ୟା କଣ ତାକୁ ଟେକ୍ନିକାଲ କମିଟି ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଏହା ଗୁରୁତର ବୋଲି କୌଣସି ତଥ୍ୟ ନାହିଁ । ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ ତଥ୍ୟ ନାହିଁ । ଟୀକା କାମ ଦେବନି ବୋଲି ମଧ୍ୟ କିଛି ତଥ୍ୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମିକ୍ରନ ଉପରେ ଆନ୍ତର୍ଜାତିକ ସଂଗଠନ, ବିଶେଷଜ୍ଞ ଟିମ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ଡେଲ୍‌ଟା ଭାଇରସ ଯେତେ ବେଳେ ଆସିଥିଲା, ସେତେବେଳେ ଏମିତି ଚର୍ଚ୍ଚା ହେଉଥିଲା । କିନ୍ତୁ ଆମର ସେମିତି କିଛି ଘଟି ନଥିଲା । ଆଉ ଏବେ ଓମିକ୍ରନ୍ ମଧ୍ୟ ନୂଆ ଭାରିଆଣ୍ଟ ହୋଇ ଆସିଛି । ହେଲେ ବର୍ତମାନ ଯାଏ ଭାରତରେ ଏହା ଚିହ୍ନଟ ହୋଇନାହିଁ । ଅଲଗା ଦେଶରୁ ଆସୁଥିବା ଲୋକଙ୍କୁ ଆନ୍ତର୍ଜାତିକ କ୍ୱାରେଣ୍ଟିନ ଗାଇଡ଼ଲାଇନ ଅନୁସାରେ ଆମ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେଉଁମାନେ ବିଦେଶରୁ ଆସିବେ, ବିମାନ ବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ସେମାନଙ୍କ ଉପରେ କଡା ନଜର ରଖାଯାଉଛି ।

ତେବେ ଯଦି କାହାର ପଜିଟିଭ ଆସିଲା, ସେହି ତଥ୍ୟ ସବୁ ରାଜ୍ୟକୁ ପଠାଯିବ । ରାଜ୍ୟରେ ଏବେ ରାଣ୍ଡମ ସିକ୍ୱେନ୍ସିଂ ଚାଲିଛି । ଯଦି ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ ପଜିଟିଭ ଆସେ, ସେମାନଙ୍କର ଜିନମ ସିକ୍ୱେନ୍ସିଂ  ନିଶ୍ଚୟ କରାଯିବ । ଏବେ ବିଦେଶରୁ ଆସିଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ କରାଯାଉଛି । କରୋନାକୁ ପ୍ରତିହତ କରିବା ଲାଗି ଟୀକାକରଣ ହିଁ ମୁଖ୍ୟ ଅସ୍ତ୍ର । ଯେଉଁମାନେ ଟୀକା ନେଇନାହାନ୍ତି, ଶୀଘ୍ର ଟୀକା ନିଅନ୍ତୁ ।

ତେବେ ନୀତି ଆୟୋଗ ତରଫରୁ ମଧ୍ୟ କୁହାଯାଇଛି, କରୋନାର ମୁଖ୍ୟ ଢାଲ ହେଉଛି, ମାସ୍କ । ତାହା ସହ ଲକ୍ଷଣ ଦେଖାଗଲେ, ଟେଷ୍ଟିଂ କରାଇବା । ଯଦି ରାଜ୍ୟରେ ଓମିକ୍ରନ୍ ପଜିଟିଭ ବାହାରିବ, ଟେଷ୍ଟିଂ, ଟ୍ରାକିଂ କରିବା ସ୍ୱାସ୍ଥ୍ୟ ବିଭାଗର କାମ, ବିଭାଗ ମଧ୍ୟ ଜାରି ରଖିଛି । ହକି ବିଶ୍ୱକପ୍‌ ଲାଗି ଯେତିକି ବିଦେଶୀ ଖେଳାଳି ଆସିଛନ୍ତି, ସମସ୍ତଙ୍କର ଟେଷ୍ଟ କରାଯାଇଛି । ଏ ବାବଦରେ ଅଧିକ ତଥ୍ୟ ହକି ଇଣ୍ଡିଆ ଦେଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.