ସଂଧ୍ୟା ସୁଦ୍ଧା ଆସିବ କୋଭିଡ଼ ଆଡ୍ଭାଇଜରି, ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ସ୍ୱାସ୍ଥ୍ୟ ବିଭାଗ
23/12/2022 at 2:21 PM

ଭୁବନେଶ୍ୱର ୨୩।୧୨ : ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ଥିଲେ । କୋଭିଡ଼ ସ୍ଥିତିକୁ ଦେଖି ସଂଧ୍ୟା ସୁଦ୍ଧା ନୂଆ ମାର୍ଗଦର୍ଶିକା ଜାରି କରାଯିବ । କୋଭିଡ଼ ପାଇଁ ଆଡ୍ଭାଇଜରି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେଣୁ ରାଜ୍ୟ ସରକାର କୋଭିଡ଼ ଗାଇଡ୍ଲାଇନ୍ ଜାରି କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଜିର ବୈଠକରେ ଭିଡ଼କୁ ନ ଯିବା ଓ଼ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ବ ଆଲୋଚନା ହୋଇଛି । ଏହାବ୍ୟତୀତ କୋଭିଡ ସିମ୍ପଟମ୍ ଦେଖାଦେଲେ ଟେଷ୍ଟିଙ୍ଗ କରାଯିବ। ଯାହାର ପଜିଟିଭ ବାହାରିବ, ତାହାର ଜିନମ ସିକ୍ୟୁଏନସିଂ ବାହାର କରାଯିବ । କୋଭିଡ ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟଗୁଡିକ ଦେଇଥିବା ପରାମର୍ଶ ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିଲା।
ସେହିପରି ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ । ଭୁବନେଶ୍ୱର ଓ ରାଉରକେଲାର ବିଶ୍ୱକପ୍ରେ ସମସ୍ତ ମ୍ୟାଚ୍ ଖେଳାଯିବ । ତେଣୁ ହକି ବିଶ୍ବକପ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଖେଳ ସମୟରେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।