୪ଟି ଲହର ଲାଗି ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି, ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
24/12/2022 at 11:19 AM

ଭୁବନେଶ୍ୱର ୨୪।୧୨ : ରାଜ୍ୟବାସୀଙ୍କୁ ଅନୁରୋଧ ଆତଙ୍କିତ ହୁଅନ୍ତି ନାହିଁ। BF.7 ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଅଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି । କିନ୍ତୁ ଏହାର ଫଟିଲିଟି ଓ ମୋଟାଲିଟି ବିଶେଷ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ରେଟ ବଢ଼ିନାହିଁ। ହସ୍ପିଟାଲ୍ରେ ରୋଗୀ ଅଧିକ ମଧ୍ୟ ନାହିଁନ୍ତି । ଆଗକୁ ଯଦି ସଂକ୍ରମଣ ଆସେ କିପରି ମୁକାବିଲା କରାଯିବ । ସେନେଇ ଆମେ ପ୍ରସ୍ତୁତ ହୋଇ ଅଛୁ। ସର୍ଭେଲାନ୍ସକୁ ଜୋରଦାର କରାଯିବ। ଯାହା ଦେହରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରୋଗୀ ନଥିଲେ ମଧ୍ୟ ବେଡ଼ ମହଜୁଦ ରଖାଯାଇଛି। ଦରକାର ପଡ଼ିଲେ ବେଡ଼ ବଢାଯିବ। ରାଜ୍ୟରେ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି।
ସେହିପରି କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ, ୨୭ ତାରିଖରେ ମକ୍ ଡ୍ରିଲ୍ ହେବ। ସମସ୍ତଙ୍କୁ ଅନୁରୋଧ ଲୋକଙ୍କୁ ଭୟଭୀତ କଲା ଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ। ସରକାର ସବୁବେଳେ ରୋଗୀଙ୍କୁ ଉଚିତ ଚିକିତ୍ସା ଦେବାକୁ ପ୍ରତିଶୃତି ବଦ୍ଧ। ପୂର୍ବ ଲହର ପରି ଏଥର ମଧ୍ୟ ଯଦି ସଂକ୍ରମଣ ବଢେ, ତେବେ ରାଜ୍ୟ ସରକାର ଚିକିତ୍ସା ଦାୟିତ୍ୱ ନେବେ। ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିଛନ୍ତି। ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ। ତେଣୁ ଯଦି କିଏ ଆସୁଛି। ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ।