ସିବିଆଇର ନୂଆ ନିର୍ଦେଶକ ଓଡିଶା କ୍ୟାଡର ଆଇପିଏସ ନାଗେଶ୍ୱର ରାଓଙ୍କ ବିରୋଧରେ ମଧ୍ୟ ବହୁ ଅଭିଯୋଗ ରହିଛି ବୋଲି କହିଲେ ବିଜୟ ମହାପାତ୍ର, ନିରଞ୍ଜନ କଲେ ସମାଲୋଚନା

Published By : Prameya-News7 Bureau | October 24, 2018 IST

ଭୁବନେଶ୍ୱର ୨୪/୧୦ : ସିବିଆଇର ନିର୍ଦେଶକ ଭାବେ ନାଗେଶ୍ବର ରାଓଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ | ଏଥିସହ ସିବିଆଇର ବିଶ୍ୱସନୀୟତାକୁ ନେଇ ମଧ୍ୟ ଉଭୟ ପ୍ରଶ୍ନ ଉଠାଇଛନ୍ତି | ବିଜୟ ମହାପାତ୍ର କହିଛନ୍ତି ଯେ, ନାଗେଶ୍ବର ରାଓ ଓଡିଶାରେ ଅଗ୍ନିଶମ ବିଭାଗ ଡିଜି ଥିଲେ | ତାଙ୍କ ନାଁରେ ଆଗରୁ ଏଠି ଅଭିଯୋଗ ରହିଛି | ସବୁ IPS ଅଫିସର ଭଲ ଭାବେ ଜାଣିଛନ୍ତି ସେ କଣ | ପୁଣି ଆଗକୁ ଏହି ସମସ୍ୟା ଉପୁଜିବ | ସିବିଆଇ ନିରପେକ୍ଷ ନୁହେଁ ବୋଲି ଆଗରୁ ସେବହୁବାର କହିଥିବା ସୂଚନା ଦେଇଛନ୍ତି | ଏଥିଯୋଗୁଁ ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ ସେମାନେ ଆତ୍ମ ସମୀକ୍ଷା କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି | ସିବିଆଇ ଅଫିସରେ ସିବିଆଇ ରେଡ କରିବା ଭାରତ ଇତିହାସରେ ପ୍ରଥମ | ବିଶ୍ବାସନୀୟତା ଓ ଗୌରବ ହାରଇଛି ସିବିଆଇ | ଯେଉଁମାନେ ଶାସନରେ ଅଛନ୍ତି ସେମାନେ ସିବିଆଇକୁ କଳଙ୍କିତ କରିଛନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି | ବିଜେପିର ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ସିବିଆଇକୁ ସମାଲୋଚନା କରିବା ଛଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର | ଅପରପକ୍ଷରେ ସିବିଆଇରେ ଚାଲିଥିବା କାର୍ଯ୍ୟକଳାପ ନେଇ ସିବିଆଇକୁ ଏବଂ ଭାରତୀୟ ଜନତା ପାର୍ଟି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ | ଓଡିଶାରେ ଅପରାଧିକ ମାମଲାର ଇନଭେସ୍ଟିଗେସନ ପାଇଁ ସିବିଆଇକୁ ମ୍ୟାନେଜ କରାଯାଇଥିଲା ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି | ଫଳରେ ଚିଟଫଣ୍ଡ ତଦନ୍ତରେ ବଡ ସଫଳତା ମିଳିଲା ନାହିଁ କି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ | ଏବେ ନାଗେଶ୍ବର ରାଓଙ୍କୁ ଦାୟିତ୍ବ ଦିଆଯାଇଛି | ସେ ସିବିଆଇର ସମ୍ମାନ ରଖୁଛନ୍ତି କି ନାହିଁ ତାହା ଦେଖିବା କଥା ବୋଲି ସେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.