ବିହାରର ଯୁବକ ମକା ଚୋପାରେ ପ୍ରସ୍ତୁତ କଲେ କପ୍-ପ୍ଲେଟ୍ : ସରକାରଙ୍କ ଦ୍ବାରା ହେଲେ ପ୍ରଶଂସିତ

Published By : Prameya-News7 Bureau | January 13, 2019 IST

ମୁଜାଫରପୁର ୧୩/୧: ଏମଟେକ୍ ପାଠ ଏବଂ ପ୍ରତିଷ୍ଠିତ କମ୍ପାନୀର ଚାକିରୀ ଛାଡ଼ି ଜଣେ ଯୁବକ ପ୍ଲାଷ୍ଟିକର ବିକଳ୍ପ ଖୋଜିବା ଆରମ୍ଭ କରି ଦେଇଥିଲେ। ଏବେ ସେ ମକା ଚୋପାରେ କପ୍,ପ୍ଲେଟ୍ ପ୍ରସ୍ତୁତ କରିଛନ୍ତି। ଏହି ପଦକ୍ଷେପକୁ ବୈଜ୍ଞାନିକମାନେ ମଧ୍ୟ ପସନ୍ଦ କରିଛନ୍ତି।

ବିହାରର ମୁଜାଫରପୁରର ବାସିନ୍ଦା ମହମ୍ମଦ ନାଜ ଔଜେର ମକାର ଚୋପାରେ କପ୍,ପ୍ଲେଟ୍,ଗିନା ଏବଂ ମୁଣି ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ସେ ପାଖାପାଖି ଦୁଇ ଡର୍ଜନ ସ୍କୁଲରେ ଯାଇ ହଜାର ଜଣ ପିଲାଙ୍କୁ ଏହି ପଦ୍ଧତି ଶିଖାଇ ସାରିଲେଣି। ବୈଜ୍ଞାନିକମାନେ ମଧ୍ୟ ମାନିଛନ୍ତି ଯେ ମକାର ଚୋପା ପ୍ଲାଷ୍ଟିକ୍ ଠାରୁ ଉନ୍ନତ ବିକଳ୍ପ ହେବା ପାଇଁ ପ୍ରମାଣିତ ହୋଇ ପାରିବ। ଏହା ଶସ୍ତା ହେବା ସହ ଉପଯୋଗୀ ମଧ୍ୟ।

ପ୍ଲାଷ୍ଟିକ୍ ସମସ୍ୟା ଦିନକୁ ଦିନ ବଢ଼ୁଥିବା ଯୋଗୁଁ ନାଜ ଏତେ ଚିନ୍ତିତ ହୋଇପଡ଼ିଥିଲେ ଯେ ସେ ତାଙ୍କ ସୁନେଲି କ୍ୟାରିୟରକୁ ତ୍ୟାଗ କରି ପ୍ଲାଷ୍ଟିକର ବିକଳ୍ପ ଖୋଜିବାକୁ ବାହାରି ପଡ଼ିଥିଲେ। ସେ ସଙ୍କଳ୍ପ ନେଇଥିଲେ ଯେ ସେ ଏଥିପାଇଁ କିଛି କରିବେ। ଅନେକ କିଛି ଅଧ୍ୟୟନ ପରେ ବିକଳ୍ପ ଭାବରେ ମକାର ଚୋପା ତାଙ୍କ ନଜରକୁ ଆସିଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ପ୍ରୟୋଗ କରିବା ପରେ ସେ ସଫଳ ହୋଇଥିଲେ।

୨୬ବର୍ଷ ବୟସ୍କ ମହମ୍ମଦ ନାଜ ଇଣ୍ଟର ପରେ ଆଗକୁ ପଢ଼ିବା ପାଇଁ ହାଇଦ୍ରାବାଦ ଚାଲିଯାଇଥିଲେ। ଜବାହରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରେ ୨୦୧୪ରେ ବିଟେକ୍ ଏବଂ ୨୦୧୬ରେ ଏମଟେକ୍ କରିଥିଲେ। ତାଙ୍କୁ ବହୁତ କମ୍ପାନୀରୁ ଅଫର ମିଳିଥିଲା କିନ୍ତୁ କିଛି ଭିନ୍ନ କରିବାର ଆଶା ରଖି ସେ ଗାଁକୁ ଫେରି ଆସିଥିଲେ ଏବଂ ପ୍ରକୃତିରୁ ପ୍ଲାଷ୍ଟିକର ବିକଳ୍ପ ସନ୍ଧାନ କରିଥିଲେ। ସେ ଦେଖିଥିଲେ ଯେ ମକାରୁ ଦାନା ବାହାରିବା ପରେ ଲୋକମାନେ ଚୋପାକୁ ଫୋପାଡ଼ି ଦେଉଛନ୍ତି।  ତାହା ପ୍ରୟୋଗ କରିବା ପରେ ସେ ସଫଳ ହୋଇଥିଲେ।

ମକାର ଚୋପାକୁ ଉପରେ ଏବଂ ତଳେ ଏକ ଇଞ୍ଚ ଲେଖା କାଟିବା ପରେ ଏହା ୩ରୁ ୪ଇଞ୍ଚ ଚଉଡ଼ା ହୋଇଯାଇଥାଏ। ଏହାର ଲମ୍ବ ୬ଇଞ୍ଚ ଯାଏଁ ହୋଇଥାଏ। ନାଜ ପ୍ରଥମେ ଘରେ ପ୍ରସ୍ତୁତ କରିଥିବା ଅଠାରେ ଏହାକୁ ଲଗାନ୍ତି ତାହା ପରେ ମେସିନରେ ରଖି ଏହାକୁ ଆକାର ଦେବା ସହ କାଟିଥାନ୍ତି। ଏହିଭଳି ଭାବରେ ପ୍ଲେଟ୍ ଏବଂ ଗିନା ପ୍ରସ୍ତୁତ କରିଥାନ୍ତି। ଏକ ପ୍ଲେଟ୍ ପ୍ରସ୍ତୁତ କରିବା ପାଇଁ ୫୦ପଇସା ଖର୍ଚ୍ଚ ହୋଇଥାଏ। ଏହା ଓ୍ବାଟରପ୍ରୃଫ ହେବା ସହ ଏହି ପ୍ଲେଟ୍ ତରକାରୀ ଖାଇବା ପାଇଁ ଉପଯୋଗୀ ହୋଇଥାଏ।

ଜଣେ ବୈଜ୍ଞାନିକଙ୍କ କହିବା ଅନୁସାରେ ମକାର ପ୍ରତି ଭାଗ ଉପଯୋଗୀ ଅଟେ। ଏଥିରେ ବିଭିନ୍ନ ପ୍ରକାର ଉପକରଣ ପ୍ରସ୍ତୁତ ହୋଇଥାଏ। ମକାର ଚୋପା ଦ୍ବାରା କାଗଜ, ପାନୀୟ,କମ୍ପୋଷ୍ଟ ସାର,ରଙ୍ଗ,ଫୁଲଦାନୀ ଏବଂ ସୂତା ପ୍ରସ୍ତୁତ ହୋଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.