ଫେରିବାଲାର ପୁଅ ହେବେ IAS, ୨୦୧୯ରେ ଆଇଟି କମିସନର ଚାକିରି ଛାଡି ସିଭିଲ ସର୍ଭିସ୍‌ ପାଇଁ ହେଉଥିଲେ ପ୍ରସ୍ତୁତ

Published By : Prameya-News7 Bureau | September 25, 2021 IST

ପାଟନା ୨୫/୦୯ : କଥାରେ ଅଛି, ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ହାରନ୍ତି ନାହିଁ । ଏହି ଉକ୍ତି କହିବାର ଅର୍ଥ ହେଉଛି ଜଣେ ଫେରିବାଲାଙ୍କ ପୁଅ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି । ମୋଟ ୭୬୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ବିହାରର ଅନିଲ ବାସକ ସର୍ବଭାରତୀୟ ସ୍ଥରରେ ୪୫ ରାଙ୍କ୍‌ ପାଇଛନ୍ତି ।

ବିହାରର କିଶାନଗଞ୍ଜ ଜିଲ୍ଲାର ଅନିଲ ବାସକ ନିଜ ପାଇଁ ଏବଂ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅନିଲ ଅତି ସରଳ ପରିବାରରୁ ଆସି ଆଜି ଏତେବଡ ସଫଳତା ପାଇଛନ୍ତି । ବାପା ସାଇକେଲରେ ବୁଲି ବୁଲି ପୋଷାକ ବିକ୍ରିକରି ସ୍ବଳ୍ପ ରୋଜଗାର କରନ୍ତି । କିନ୍ତୁ ଅନିଲ ଏହାକୁ ନିଜର ଦୁର୍ବଳତା ବୋଲି କେବେ ଭାବି ନଥିଲେ ବରଂ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ଆଗକୁ ଯିବାପାଇଁ ପ୍ରେରଣା ଯୋଗାଇଥିଲା ।  ଅନିଲ କହିଛନ୍ତି ଯେ, ‘କୌଣସି କାମ ଛୋଟ ଏବଂ ବଡ ନୁହେଁ । ମୋ ବାପାଙ୍କ କଠିନ ପରିଶ୍ରମ ଦେଖି ମୁଁ ଜଣେ ଭଲ ଅଫିସର ହେବାକୁ ଚାହୁଁଥିଲି । ଯାହାଫଳରେ ମା ଏବଂ ବାପା ବିଶ୍ରାମ କରିବାର ସୁଯୋଗ ପାଇପାରିବେ ।

ପିଲାଦିନରୁ ପାଠପଢା ପ୍ରତି ଅହେତୁକ ଆଗ୍ରହ ଥିବା ଅନିଲ ବସାକ ତୃତୀୟ ପ୍ରୟାସରେ ଏହି ସଫଳତା ହାସଲ କରିଛନ୍ତି । ପ୍ରଥମ ପ୍ରୟାସରେ ସେ ପ୍ରି ଏବଂ ମେନ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ । ଦ୍ୱିତୀୟରେ ସେ ୬୧୬ତମ ରାଙ୍କ୍‌ ପାଇଥିଲେ । ଦ୍ୱିତୀୟ ପ୍ରୟାସ ପରେ ସେ ଆୟକର କମିଶନର ହୋଇଥିଲେ କିନ୍ତୁ ଆଇଏଏସ୍ ହେବାର ଇଚ୍ଛା ତାଙ୍କୁ ବେଶ ଆନ୍ଦୋଳିତ କରୁଥିଲା । ତେଣୁ ସ୍ୱତନ୍ତ୍ର ଛୁଟି ଆବେଦନ କରି ଆଇଏଏସ୍‌ ପାଇଁ ଲାଗିପଡିଲେ ଅନିଲ । ଏଥର UPSC ୨୦୨୦ରେ ସେ ସର୍ବଭାରତୀୟ ସ୍ତରରେ ୪୫ତମ ସ୍ଥାନ ଅକ୍ତିଆର କରି ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଅନିଲ ବାସକଙ୍କ ଚାରି ଭାଇ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନିଲ ଦ୍ୱିତୀୟ । ପିତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା, କିନ୍ତୁ ପୁଅର କଠିନ ପରିଶ୍ରମ ଦେଖି ସେ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଅନିଲ କିଶାନଗଞ୍ଜ ଓରିଏଣ୍ଟାଲ୍ ପବ୍ଲିକ୍ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରେ ୨୦୧୧ ମସିହାରେ ଆରାରିୟା ପବ୍ଲିକ୍ ସ୍କୁଲରୁ ଦଶମ ପରୀକ୍ଷା ଦେଇଥିଲେ ଏବଂ ୨୦୧୩ରେ ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ୨୦୧୪ ମସିହାରେ ଆଇଆଇଟି ଦିଲ୍ଲୀରୁ ସିଭିଲ୍ ଇଞ୍ଜିନିୟରିଂ ଆଡମିଶନ କରିଥିଲେ ।  

ଅନିଲ ବସାକଙ୍କ ପରିବାର ଖୁବ ଦରିଦ୍ର ଥିଲେ । ସେ ୨୦୧୮ରେ ଇଞ୍ଜିନିୟରିଂ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍‌ ହୋଇପାରିଥିଲେ । ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କ ପିତା ମଧ୍ୟ ଅନିଲଙ୍କୁ ଆଗକୁ ପଢାଇବାକୁ ଅସମର୍ଥ ହୋଇଥିଲେ। ପିଲାଦିନରୁ ପରିବାରର ଏଭଳି ସ୍ଥିତି ଲାଗିରହିଥିଲା ତେଣୁ ଅନିଲ ଏଥିପାଇଁ ବିଚଳିତ ହୋଇନଥିଲେ ।

ଭାରତୀୟ ପ୍ରଶାସନିକ ସେବା ଏମିତି ଏକ ସେବା ଯାହାକୁ ପାଇବା ଏତେଟା ସହଜ ନୁହେଁ । କିନ୍ତୁ କଠିନ ପରିଶ୍ରମ, ଏକାଗ୍ରତା ଏବଂ ଧୌର୍ଯ୍ୟ ନିଶ୍ଚୟ ଜଣକୁ ସଫଳତାର ଶିର୍ଷରେ ପହଞ୍ଚାଇ ଦିଏ। ସେହିଭଳି ପ୍ରତି ବର୍ଷ ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷା ଦେଉଥିବା ବେଳେ ମାତ୍ର କିଛି ପିଲା ଏଥିରେ କୃତକାର୍ଯ୍ୟ ହୋଇ ନିଜ ଲକ୍ଷ୍ୟ ପୂରଣ କରିଥାନ୍ତି । ତେବେ ୨୦୨୦ ମସିହାରେ ୟୁପିଏସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଗତକାଲି ଫଳ ପ୍ରକାଶ ପାଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ଆଶାୟୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ବିହାରର ଆଶାୟୀଙ୍କ ସଫଳତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ବିହାରର ଶିକ୍ଷା ବ୍ୟବସ୍ଥାକୁ ନେଇ ଜାତୀୟ ସ୍ତରରେ ଆଲୋଚନା ହେଉଥିବା ବେଳେ ଏହି ରାଜ୍ୟ ପାଇଁ ଏବେ ଗୌରବ ଆଣିଛନ୍ତି ୩ ୟୁପିଏସି ଆଶାୟୀ । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ବିହାରର କେବଳ ୩ ଜଣ ଅଛନ୍ତି । ସମୁଦାୟ ୭୬୧ ଆଶାୟୀ ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ସେଥିରୁ ୧୭ ଜଣ ବିହାର ରାଜ୍ୟର ରହିଛନ୍ତି ।

ଗତକାଲି ପ୍ରକାଶିତ ତାଲିକାରେ ଶୁଭମ କୁମାର ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଶୁଭମ ନିଜର ସଫଳତା ପାଇଁ ଖୁସି ଜାହିର କରିଥିବା ବେଳେ ସେ ଏବେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଶୁଭମ କଟିହାର ଜିଲ୍ଲାର ମୂଳବାସିନ୍ଦା ହୋଇଥିବା ବେଳେ ଏବେ ସେ ପୁଣେରେ ଇଣ୍ଡିଆନ୍ ଡିଫେନ୍ସ ଆକାଉଣ୍ଟ ସର୍ଭିସେସ୍ର ଟ୍ରେନିଂ ନେଉଛନ୍ତି। ଗତବର୍ଷ ୟୁପିଏସସି ପରୀକ୍ଷାରେ ଶୁଭମ ୨୯୦ ରାଙ୍କ ରଖିଥିଲେ। ଏହା ପରେ ସେ ଇଣ୍ଡିଆାନ୍ ଡିଫେନ୍ସ ଆକାଉଣ୍ଟ ସର୍ଭିସେସ୍ ସେବା ପାଇଁ ଚୟନ ହୋଇଥିଲେ ଏବଂ ସେ ବର୍ତ୍ତମାନ ପୁଣେରେ ଟ୍ରେନିଂ ମଧ୍ୟ ନେଉଛନ୍ତି। ଶୁଭମଙ୍କୁ ୨୪ ବର୍ଷ ବୟସ ହୋଇଥିବା ବେଳେ ତୃତୀୟ ଆଟେମ୍ପଟ୍ରେ ୟୁପିଏସସି ସିଏସଇ ପରୀକ୍ଷାରେ ଟପ୍ପର ହୋଇଛନ୍ତି।

ଅନ୍ୟପଟେ ବିହାର ଜାମୁଇର ପ୍ରବୀନ କୁମାର ୭ ନମ୍ୱର ରାଙ୍କ୍‌ ସହିତ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ବାପା-ମାଆ ପୁଅର ଏହି ସଫଳତାକୁ ନେଇ ବେଶ୍‌ ଖୁସି ଥିବା କହିଛନ୍ତି । ସେ ଆଇଆଇଟି କାନପୁରରୁ ଅଧ୍ୟୟନ ସାରି ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ ଲାଗି ଦିଲ୍ଲୀ ଯାଇଥିଲେ ।

ସେହିପରି ସମସ୍ତିପୁରର ସତ୍ୟମ ଗାନ୍ଧି ଏହି ପରୀକ୍ଷାରେ ୧୦ ସ୍ଥାନରେ ରହିଛନ୍ତି । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ ପାଇଁ ୨୦୧୭ରେ ମନୋନୀତ ହୋଇଥିବା ବେଳେ ମେଡିକାଲ୍‌ରେ ବିଫଳ ହେତୁ ଏଥିରେ ଯୋଗ ଦେଇ ପାରିନଥିଲେ । ପରେ ସେ ରାଜନୈତିକ ବିଜ୍ଞାନରେ ସ୍ନାତକ ପାଇଁ ଦିଲ୍ଲୀ ଯାଇଥିଲେ । ଏହି ସମୟରୁ ସେ ୟୁପିଏସି ପରୀକ୍ଷାର ପ୍ରସ୍ତୁତି କରିଥିଲେ ।

ଏଥିସହିତ ବିହାରର ନୀତେଶ କୁମାର ଜୈନ ୨୨ ନମ୍ୱର ରାଙ୍କ ହାସଲ କରିଛନ୍ତି । ଅନିଲ୍‌ କୁମାର ବାସକ ଏହି ତାଲିକାର ୪୫ ନମ୍ୱର ସ୍ଥାନରେ ରହିଥିବା ବେଳେ ଅନ୍ୟ ଆଶାୟୀ ମଧ୍ୟ ଭଲ ରାଙ୍କ୍‌ ହାସଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.