ଗ୍ରାହକଙ୍କୁ ଦୋସାରେ ସାମ୍ବର ଦେଇନଥିଲା ରେଷ୍ଟୁରାଣ୍ଟ, ଏବେ ଦେବ ଫାଇନ୍‌

Published By : Prameya-News7 Bureau | July 13, 2023 IST

ନୂଆଦିଲ୍ଲୀ, ୧୩,୦୭: ଅନେକ ସମୟରେ ଏଭଳି ଘଟଣା ଦେଖିଥିବେ ଯେତେବେଳେ ଖାଦ୍ୟକୁ ନେଇ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକଙ୍କ ଗ୍ରାହକଙ୍କର ଝଗଡ଼ା। ଅନେକ ସମୟରେ ହୁଏତ ଆପୋଷ ବୁଝମଣାରେ ମାମଲା ଥଣ୍ଡା ପଡ଼ିଥାଏ। କିନ୍ତୁ ଏବେ ଏଭଳି ଏକ ମାମଲା ସିଧା ଖାଉଟି କୋର୍ଟରେ ପହଞ୍ଚିଛି। ଆଉ ଖାଦ୍ୟକୁ ନେଇ ରେଷ୍ଟୁରାଣ୍ଟକୁ ଫାଇନ୍ ଦେବାକୁ ପଡ଼ିଛି।

ଏଭଳି ଏକ ମାମଲା​‌ ଦେଖିବାକୁ ମିଳିଛି ବିହାର ବକ୍ସରରେ। ଏଠାରେ ମନୀଷ ଗୁପ୍ତା ନାମକ ଜଣେ ବ୍ୟକ୍ତି ନିଜ ଜନ୍ମ ଦିନରେ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲା। ଆଉ ସେଠାରେ ଏକ ସ୍ପେଶାଲ ଦୋସା ମଗାଇଥିଲେ ଯାହାର ଦାମ୍ ଥିଲା ୧୪୦ ଟଙ୍କା। ତେବେ ରେଷ୍ଟୁରାଣ୍ଟ ତାଙ୍କୁ ଦୋସା ସହ ସାମ୍ବର ଦେଇନଥିଲା। ଆଉ ଏହାର କାରଣ ପଚାରିବାରୁ ରେଷ୍ଟୁରାଣ୍ଟ ମାଲିକ ତାଙ୍କୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନଦେବା ସହ ୧୪୦ ଟଙ୍କାରେ କ’ଣ ରେଷ୍ଟୁରାଣ୍ଟ କିଣିପାରିବେ ବୋଲି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ବର୍ଗରରୁ ଗାଏବ ହେଲା ଟମାଟୋ, ଅର୍ଡର ନେବାକୁ ମନା କଲା ରେଷ୍ଟୁରାଣ୍ଟ

ତେବେ ଏହା ପରେ ମନୀଷ ପ୍ରଥମେ ରେଷ୍ଟୁରାଣ୍ଟକୁ ଏକ ଲିଗାଲ ନୋଟିସ୍‌ ପଠାଇଥିଲେ କିନ୍ତୁ କୌଣସି ପ୍ରତିକ୍ରିୟା ନମିଳିବାରୁ ସେ ଜିଲ୍ଲା ଖାଉଟି କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ୧୧ ମାସ ପରେ, ଖାଉଟି କମିଶନ ଅଧ୍ୟକ୍ଷ ବେଦପ୍ରକାଶ ସିଂହ ଏବଂ ସଦସ୍ୟ ବରୁଣ କୁମାରଙ୍କ  ଏକ ଡିଭିଜନ ବେଞ୍ଚ ମାମଲାର ଶୁଣାଣି କରି ରେଷ୍ଟୁରାଣ୍ଟ ଦୋଷୀ ବୋଲି କହିଥିଲେ ଏବଂ ୩୫୦୦ ଟଙ୍କା ଫାଇନ୍‌ ଲଗାଇଥିଲେ। ଘଟଣା ଗତ ବର୍ଷ ଅଗଷ୍ଟ ୧୫ ଦିନ ଘଟିଥିଲା`

ତେବେ ଫାଇନ୍‌ ଦୁଇ ଭାଗରେ ଅର୍ଥାତ୍ ୧୫୦୦ ଟଙ୍କା ମକଦ୍ଦମା ବାବଦକୁ ହୋଇଥିବା ଖର୍ଚ୍ଚ ଏବଂ ୨୦୦୦ ଟଙ୍କା ଫାଇନ୍ ଲଗାଯାଇଥିଲା। କୋର୍ଟ କହିଛନ୍ତି  ଯଦି ଏହି ଫାଇନ୍‌କୁ ଉଚିତ୍‌ ସମୟରେ ନଦିଅନ୍ତି ତେବେ ଫାଇନ୍‌ ଉପରେ ୮ ପ୍ରତିଶତ ସୁଧ ଲାଗିବ। କୋର୍ଟ ଶୁଣାଣି ବେଳେ ଆବେଦନକାରୀଙ୍କୁ ଏହାଦ୍ବାରା ପହଞ୍ଚିଥିବା ‘ମାନସିକ, ଶାରୀରିକ, ଆର୍ଥିକ’ ପୀଡ଼ା ବିଷୟରେ ମଧ୍ୟ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.