ବିହାର ରାଜ୍ୟସଭା ଉପନିର୍ବାଚନରେ ଟ୍ବିଷ୍ଟ, ସୁଶିଲ ମୋଦିଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଲେ ଇଞ୍ଜିନିୟର ପ୍ରାର୍ଥୀ
3/12/2020 at 3:58 PM

ପାଟନା ୦୩/୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ରାଜ୍ୟସଭା ସିଟ୍ରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ସିଟ୍ରେୁ ଏନଡିଏ ପ୍ରାର୍ଥୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦି ବୋଧହୁଏ ଏବେ ନିର୍ଦ୍ବନ୍ଦ୍ବରେ ଜିତିପାରିବେ ନାହିଁ। ମହାମେଣ୍ଟ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆ ନଯିବା ପରେ ଏବେ ଜଣେ ବ୍ୟକ୍ତି ନାମାଙ୍କନ ଭରିଥିବା ଜଣାପଡ଼ିଛି। ସୁଶିଲ ମୋଦିଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଥିବା ଏହି ବ୍ୟକ୍ତି ପେଶାରେ ଜଣେ ଇଞ୍ଜିନିୟର। ଯଦି ତାଙ୍କ ନାମାଙ୍କନ କାଏମ ରହିବ ତେବେ ବିହାର ରାଜ୍ୟସଭା ଉପନିର୍ବାଚନରେ ଟ୍ବିଷ୍ଟ ଦେଖିବାକୁ ମିଳିବ।
ନିର୍ବାଚନ ଆୟୋଗରୁ ମିଳିଥିବା ସୂଚନା ଅନୁସାରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଶ୍ୟାମ ନନ୍ଦନ ପ୍ରସାଦ ବୁଧବାର ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। କିନ୍ତୁ ନାମାଙ୍କନ ପାଇଁ ଆବଶ୍ୟକ ୧୦ ବିଧାୟକଙ୍କ ସମର୍ଥନ ପତ୍ର ସେ ପୈଠ କରିନାହାନ୍ତି। ତେବେ ଶ୍ୟାମଙ୍କୁ ମହାମେଣ୍ଟ ସମର୍ଥନ କରିବ କି ନାହିଁ ପରେ ଜଣାପଡ଼ିବ। ଶ୍ୟାମ ନନ୍ଦନ ଦିନ ୨ଟାରେ ନାମାଙ୍କନ ଭରିବାକୁ କାର୍ଯ୍ୟାଳୟ ପହଞ୍ଚିଥିଲେ। ଲୋକଙ୍କ ସେବା ପାଇଁ ରାଜନୀତିରେ ପାଦ ଥାପିଥିବା କହୁଥିବା ଶ୍ୟାମ ୨୦୧୪ ପାଟନାର ଶାହିବ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ।
୧୦ ବିଧାୟକଙ୍କ ସମର୍ଥନ ପାଇଁ ଏନଡିଏ ଓ ମାହାମେଣ୍ଟ ସହ ଆଲୋଚନା କରିବେ ବୋଲି ଶ୍ୟାମ କହିଛନ୍ତି। ସମର୍ଥନ ପତ୍ର ସୋମବାର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପୈଠ କରିବେ ବୋଲି ମଧ୍ୟ ସେ କହିଛନ୍ତି। ଗୁରୁବାର ନାମାଙ୍କନ ଭରିବାର ଶେଷ ଦିନ। ଆସନ୍ତାକାଲି ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ୫ ଡିସେମ୍ବରରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ।