ଏନଡିଏ ଛାଡି ମହାମେଣ୍ଟରେ ସାମିଲ ହେବେ ନୀତିଶ ! ରାବଡୀ ଦେବୀଙ୍କ ବୟାନ ପରେ ବିହାର ରାଜନୀତି ସରଗରମ

Published By : Prameya-News7 Bureau | January 02, 2021 IST

ପାଟନା,୦୨/୦୧ :  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାବଦରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିହାର ରାଜନୀତିକୁ ସରଗରମ କରିଦେଇଛି । ନୀତିଶ ମହାମେଣ୍ଟରେ ପୁଣି ସାମିଲ ହେବାକୁ ଯାଉଥିବା ରାବଡୀ ଦେବୀ କହିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ଆରଜେଡି ନେତାମାନେ ଏପରି ବୟାନ ଦେଇ ସାରିଛନ୍ତି । କିନ୍ତୁ ଲାଲୁ ପରିବାରର ଏହା ହେଉଛି ନୀତିଶଙ୍କ ପ୍ରସଙ୍ଗରେ ପ୍ରଥମ ବୟାନ ।

ନୂଆବର୍ଷ ଆରମ୍ଭରୁ ଆରଜେଡି ନେତ୍ରୀ ରାବଡୀ ଦେବୀ ରାଜନୈତିକ ବିସ୍ଫୋରଣ କରିଛନ୍ତି । ତେବେ ନିକଟରେ ଆରଜେଡ଼ିର ଅନେକ ନେତା ନୀତିଶ ମହାମେଣ୍ଟରେ ସାମିଲ ହେବା ନେଇ କହିଥିଲେ । କିନ୍ତୁ ନୀତିଶ ନିଜେ ଏସବୁକୁ ଖାରଜ କରିଦେଇଥିଲେ । ଏହା ସତ୍ତ୍ୱେ ରାବଡୀ ଦେବୀଙ୍କ ବୟାନ ଅନେକ ଗୁରୁତ୍ୱ ବହନ କରୁଛି । ତେବେ ଏହି ବୟାନ ପରେ ବିଜେପି-ଜେଡିୟୁ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁଶୀଲ ମୋଦୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଲାଲୁଙ୍କ ଦଳ ବିଧାୟକଙ୍କୁ ଅନ୍ୟ ଦଳକୁ ଯିବାରୁ ରୋକି ପାରିନଥିଲା । ଜେଡିୟୁ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରୀ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିହାରବାସୀ ସମସ୍ତ ମିଥ୍ୟା ପ୍ରତିଶ୍ରୁତିର ଜାଲରେ ଛନ୍ଦି ନହୋଇ ବିଜେପି-ଜେଡିୟୁକୁ ଜିତାଇଥିଲେ । ଆରଜେଡିର ଅନେକ ନେତା ଏନଡିଏ ଭାଙ୍ଗିବା ନେଇ କହୁଛନ୍ତି । ଯେଉଁଥିରେ କୌଣସି ସତ୍ୟତା ନାହିଁ ।

ଜେଡିୟୁ ମୁଖପାତ୍ର ସଞ୍ଜୟ ସିଂ କହିଛନ୍ତି ଯେ, ଆରଜେଡି ସରକାର ଗଠନ କରିବା ପାଇଁ କଷ୍ଟ କରୁଛି । ଏହାକୁ ପାଇବା ପାଇଁ କିଛି ବି ପଦ୍ଧତି ଆପଣାଇବାକୁ ପ୍ରୟାସ କରୁଛି । ଅନେକ ପ୍ରୟାସ କଲେ ମଧ୍ୟ ନୀତିଶ ଏନଡିଏ ସହ ରହିବେ । ଏହାପୂର୍ବରୁ ଜେଡିୟୁର ବରିଷ୍ଠ ନେତା ନାରାୟଣ ସିଂ ରାବଡୀ ଦେବୀଙ୍କ ବୟାନକୁ ହାସ୍ୟାସ୍ପଦ କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.