ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଆଉ କେହି ନୁହେଁ, ବାହାରିଲେ ଜଣେ ପୋଲିସ କର୍ମୀ
4/05/2020 at 10:27 PM

ଲକ୍ଷ୍ନୌ ୦୪।୦୫: ସାମାଜିକ ଗଣମାଧ୍ୟମ ଫେସବୁକ୍ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିକୁ ୟୁପି ପୋଲିସ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା ଧମକ ଦେଇଥିବା ଯୁବକ ଜଣେ ପୋଲିସକର୍ମୀ। ତାଙ୍କ ନାମ ତନବୀର ଖାନ। ତାଙ୍କୁ ବିହାରର ନାଳନ୍ଦା ଜିଲ୍ଲାର ଦୀପନଗର ଥାନା ଅଞ୍ଚଳରୁ ଗିରଫ କରାଯାଇଛି।
ଉଲ୍ଲେଖନୀୟ ରାଜଗୀରର ଫରେଷ୍ଟ ହାଉସ୍ ନିକଟରେ ମୁତୟନ ବିହାର ପୋଲିସର ଯବାନ ତନବୀର ଖାନ ଗତ ମାସ ୨୪ ତାରିଖରେ ଫେସବୁକ୍ ମାଧ୍ୟମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଧମକ ପରେ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା।
ଏହା ପରେ ଦିଲଦାର ନଗର ଥାନା ଅଞ୍ଚଳର ଧନଞ୍ଜୟ ସୂର୍ଯ୍ୟବଂଶୀ ଏବଂ ବିଶାଳ ପାଣ୍ଡେ ନାମକ ଦୁଇ ବ୍ୟକ୍ତି ଏହାକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏହି ପୋଷ୍ଟକୁ ପୋଲିସ୍ ମଧ୍ୟ ଗମ୍ଭୀରତାର ସହ ନେଇଥିଲେ ଏବଂ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରୁ ଜଣା ପଡିଲା ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଆଉ କିଏ ନୁହେଁ ଜଣେ ପୋଲିସ କର୍ମୀ।
ଏହା ବିହାର ପୋଲିସ ପାଇଁ ଲଜ୍ଜାକର ଘଟଣା ହୋଇଛି। ଗିରଫ ପୋଲିସକର୍ମୀ ତନବୀର ଖାନ ୟୁପିର ଗାଜିପୁର ଜିଲ୍ଲା ସ୍ଥିତ ଦିଲଦାର ନଗର ଥାନା ଅନ୍ତର୍ଗତ ରକସଦା ଗାଁର ବାସିନ୍ଦା। ସେ ସଂପ୍ରତି ବିହାର ପୋଲିସରେ କାର୍ଯ୍ୟରତ।