ନୀତିଶଙ୍କ ମନ୍ତ୍ରିମଣ୍ଡଳରୁ ମୁକେଶ ସହନୀଙ୍କ ଛୁଟି, ବିଜେପିର ଦାବି ପରେ କରାଗଲା ବରଖାସ୍ତ

Published By : Prameya-News7 Bureau | March 28, 2022 IST

ପାଟନା ୨୮।୦୩: ନିକଟ ଦିନରେ ବିହାର ରାଜନୀତିର ଉଷ୍ମତା ଦେଖା ଦେଇଛି। ଏହି କ୍ରମରେ ସୋମବାର ବିକାଶଶୀଳ ଇନସାନ ପାର୍ଟି(ଭିଆଇପି)ର ଜାତୀୟ ଅଧ୍ୟକ୍ଷ ମୁକେଶ ସହନୀଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୋଟିଏ ଦିନ ପୂର୍ବେ ମୁକେଶ ସହନୀଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ନେଇ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ସୋମବାର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ନୀତିଶଙ୍କ ମନ୍ତ୍ରିମଣ୍ଡଳରୁ ତଡା ଖାଇବା ପରେ ମୁକେଶ ସହନୀ ଫେସବୁକରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ୧୬ ମାସର ମନ୍ତ୍ରୀ ଭାବେ କାର୍ଯ୍ୟକାଳରେ ରାଜ୍ୟର ୧୩ କୋଟି ଜନତାଙ୍କ ସେବା କରିବାକୁ ଉଦ୍ୟମ କରିଛି। ପ୍ରତି ଜାତି-ଧର୍ମର ଲୋକଙ୍କ ପାଇଁ କାମ କରିଛି।

ସେ କହିଛନ୍ତି, ବିହାରର ଭବିଷ୍ୟତ ପାଇଁ ପଶୁପାଳନ ଏବଂ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ କିଛି ନିର୍ଣ୍ଣାୟକ କାମ କରିଛି। ଏଥିସହ ସହନୀ ବିହାର ଜନତା, ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟର ସହଯୋଗୀ ଦଳ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ସହନୀ ଉତ୍ତର ପ୍ରଦେଶ ନିର୍ବାଚନରେ ଅନେକ ଆସନରେ ବିଜେପି ବିରୋଧରେ ନିଜର ପ୍ରାର୍ଥୀ ଦେଇଥିଲେ। ଏହା ପରେ ବିହାର ବିଜେପିର ଖୁବ୍ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜେପି ନେତା ଲଗାତାର ମୁକେଶ ସହନୀଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ଦାବି କରିଥିଲେ। ମୁକେଶ ସହନୀଙ୍କ ପାର୍ଟିର ସମସ୍ତ ବିଧାୟକ ମଧ୍ୟ ବିଗତ ଦିନରେ ବିଜେପିରେ ସାମିଲ୍ ହୋଇଥିଲେ। ବିଧାନସଭାର ବାଚସ୍ପତି ମଧ୍ୟ ସେମାନଙ୍କୁ ମାନ୍ୟତା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.