ଟ୍ରାକ୍ଟର ଚଢ଼ାଇ ପୋଲିସ୍‌କୁ ହତ୍ୟା କଲେ ବାଲି ମାଫିଆ, ଶିକ୍ଷାମନ୍ତ୍ରୀଙ୍କ ଅଜବ ଯୁକ୍ତି- ଏମିତି ପ୍ରଥମ ଥର ହୋଇଛି କି ?

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ଜଣେ ପୋଲିସ୍‌ ଅଧିକାରୀଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା... ହୋମଗାର୍ଡଙ୍କୁ ମଧ୍ୟ ମାରିଦେବାକୁ ଉଦ୍ୟମ... ଆଉ ବଡ଼ କଥା ହେଉଛି ମନ୍ତ୍ରୀ କହୁଛନ୍ତି ଏକଥା ସାମାନ୍ୟ। ଯାହାକୁ ନେଇ ଏବେ ରାଜନୀତିରେ ଦେଖିବାକୁ ମିଳିଛି ହଟଚମଟ। ଘଟଣା ହେଉଛି ବିହାରର। ବିହାରର ଜମୁଇରେ ଜଣେ ପୋଲିସ୍‌କୁ ବାଲି ମାଫିଆ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛନ୍ତି। ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଜମୁଇରେ ମଙ୍ଗଳବାର ଗରହୀ ଥାନାରେ ନିୟୋଜିତ ଥିବା ଥାନାଧିକାରୀ ପ୍ରଭାତ ରଞ୍ଜନଙ୍କୁ ବାଲି ମାଫିଆ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଛନ୍ତି। ପ୍ରଭାତ ଅବୈଧ ବାଲି ଉଠାଣ ଘଟଣାର ତଦନ୍ତ କରୁଥିଲେ। ଦୁର୍ବୁତ୍ତମାନେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ହୋମଗାର୍ଡ ଜଣକ ବଞ୍ଚିଯାଇଥିଲେବି ହସ୍ପିଟାଲରେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: କାଷ୍ଟ କୋଟା ୬୫ ପ୍ରତିଶତ କରିବାକୁ ବିହାର ବିଧାନସଭାରେ ବିଲ୍ ପାସ୍

ତେବେ ବଡ଼ କଥା ହେଉଛି ଏହି ଘଟଣା​‌ରେ ରାଜ୍ୟର ନୀତୀଶ କୁମାର ସରକାରଙ୍କ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଏହି ଘଟଣାକୁ ହାଲୁକା ଭାବରେ ନେଇଛନ୍ତି । ସେ କହିଛନ୍ତି ‘‘ଏଥିରେ କିଛି ନୂଆ କଥା ନାହିଁ। ଏହା କ’ଣ ପ୍ରଥମ ଘଟଣା ? ଏହା ପୂର୍ବରୁ କ’ଣ ଏଭଳି ହୋଇନାହିଁ ? ଉତ୍ତର ପ୍ରଦେଶରେ ଏଭଳି ହୋଇନଥାଏ ? କ’ଣ ଏମିତି ମଧ୍ୟପ୍ରଦେଶରେ ହୋଇନଥାଏ ? ଏଭଳି ଘଟଣା ତ’ ନିତି ଘଟୁଥାଏ।’’ ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖର ରାମଚରିତମାନସ ଉପରେ ବୟାନ ଦେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ।

ତେ​‌ବେ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। ଘଟଣାକୁ ନେଇ ବିରୋଧୀ ନୀତୀଶ କୁମାର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ କହିଛନ୍ତି ବିହାରରେ ପୁଣି ଜଙ୍ଗଲରାଜ ଫେରିଛି। ଘଟଣା ପରେ ଜମୁଇ ସାଂସଦ ଚିରାଗ ପାସଓ୍ବାନ ଟ୍ବିଟ୍ କରିଛନ୍ତି- ‘‘ମୁଖ୍ୟମନ୍ତ୍ରୀ ମହୋଦୟ, ରାଜ୍ୟରେ ବାଲି ମାଫିଆଙ୍କ ପ୍ରାର୍ଦୁଭାବ ବଢ଼ିଛି। ଏମିତିରେ ଆପଣଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଛି ଯେ କ’ଣ ଆପଣ ସଂରକ୍ଷଣରେ ଏଭଳି ହେଉ ନାହିଁ ତ ? ଆହୁରି ମଧ୍ୟ ଏପର୍ଯ୍ୟନ୍ତ କୌଣସି ବଡ଼ ପଦକ୍ଷେପ କାହିଁକି ନିଆଯାଇନାହିଁ।’’

ଆହୁରି ପଢ଼ନ୍ତୁ: ଜାତିଭିତ୍ତିକ ଜନଗଣନା ରିପୋର୍ଟ: କେଉଁ ବର୍ଗରେ ସରକାରୀ ଚାକିରିଆ ସଂଖ୍ୟା ଅଧିକ ?, କେତେ ଲୋକ ରହୁଛନ୍ତି ରାଜ୍ୟ ବାହାରେ ଜାଣନ୍ତୁ

୨୦୧୮ ବ୍ୟାଚ ଏସଆଇ ପ୍ରଭାତ ରଞ୍ଜନ ବିହାର ବୈଶାଳୀ ଜିଲ୍ଲାର। ଘଟଣାକୁ ନେଇ ଜମୁଇ ଏସପି ଶୌର୍ଯ୍ୟ ସୁମନ କହିଛନ୍ତି ‘‘ପୋଲିସ୍‌ ମାମଲାର ଯାଞ୍ଚ ଜାରି ରହିଛି। ଅଭିଯୁକ୍ତ ନବାଦା ଜିଲ୍ଲାର। ପୋଲିସ୍ ରେଡ୍‌ କରି ଅଭିଯୁକ୍ତଙ୍କ ପତ୍ନୀଙ୍କୁ ପଚରାଉରା କରି ହେପାଜତକୁ ନେଇଛି। ପୋଲିସ୍‌ ଟ୍ରାକ୍ଟରକୁ ଜବତ କରିସାରିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯିବ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.