କୋଭିଡ ମୃତକଙ୍କ କଫିନ୍ ବାକ୍ସ ନଦୀ କୂଳରେ ଫୋପାଡ଼ି ଦେଉଛନ୍ତି କର୍ମଚାରୀ : ବିହାରରେ ଭୂତାଣୁ ବ୍ୟାପିବା ଆଶଙ୍କା ଭୟଙ୍କର

Published By : Prameya-News7 Bureau | July 29, 2020 IST

ଗୟା ୨୯/୭: ବିହାରରେ କରୋନା ଭାଇରସର ଚିକିତ୍ସା ବ୍ୟବସ୍ଥାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପୂର୍ବରୁ ପ୍ରଶ୍ନଘେରରେ ରହିଛି। ଏପରି ପରିସ୍ଥିତିରେ ସଂକ୍ରମଣ ଜରିଆରେ ବ୍ୟାପୁଥିବା ଏହି ମହାମାରୀକୁ ନେଇ ଗୟାରେ ଘୋର ଦାୟିତ୍ବହୀନତା ସାମନାକୁ ଆସିଛି। ଗୟାର ଫଲଗୁ ନଦୀ କୂଳରେ କରୋନା ରୋଗୀଙ୍କ ଚିକିତ୍ସା ସମୟରେ ବ୍ୟବହାର କରାଯାଇଥିବା ଗ୍ଲୋବସ,ପିପିଇ କିଟ୍ ଏବଂ ଶବ ବାକ୍ସକୁ ଫିଙ୍ଗା ଯାଉଛି।

ଯେଉଁ ଲୋକଙ୍କ କରୋନାରେ ମୃତ୍ୟୁ ହେଉଛି ସେମାନଙ୍କ ଶବ ବାକ୍ସକୁ ଖୋଲାରେ ଛାଡ଼ି ଦିଆଯାଉଛି ଯାହା ଦ୍ବାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହୁଛି।

ଫଲଗୁ ନଦୀ କୂଳରେ ମେଡିକାଲ୍ ବର୍ଜ୍ୟବସ୍ତୁ ଫିଙ୍ଗାଯାଉଥିବାବେଳେ ଶ୍ମଶାନ ଘାଟରେ ଅନ୍ୟ ଶବଗୁଡ଼ିକ ଅନ୍ତିମ ସଂସ୍କାର କରାଯାଉଛି।

କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଜଳାଇବା ପାଇଁ ଅନ୍ୟ ନଦୀ କୂଳରେ ଶ୍ମଶାନ ଘାଟ କରାଯାଇଛି କିନ୍ତୁ ନିୟମକୁ ଅଣଦେଖା କରାଯାଉଛି। ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ଶବ ବାକ୍ସ,ଗ୍ଲୋବ୍ସ ଏବଂ ପିପିଇ କିଟ୍ ଫିଙ୍ଗି ଚାଲି ଯାଉଛନ୍ତି।

ହସ୍ପିଟାଲ୍ ପ୍ରଶାସନ ବାକ୍ସରେ ପ୍ୟାକ୍ ହୋଇଥିବା ଶବକୁ ବାକ୍ସ ସହିତ ହିଁ ଅନ୍ତିମ ସଂସ୍କାର କରିବାର ନିର୍ଦେଶ ଦେଇଛନ୍ତି କିନ୍ତୁ ଦାୟିତ୍ବହୀନତାର ବିଷୟ ଯେ ଏହି ଅଞ୍ଚଳରେ ଗ୍ଲୋବସ,ପିପିଇ କିଟ୍ ଏବଂ ଶବ ବାକ୍ସ ପଡ଼ୁଛି।

ନଦୀ କୂଳରେ ଫିଙ୍ଗା ଯାଇଥିବା ପିପିଇ କିଟ୍ ଏବଂ ଗ୍ଲୋବସ ନଦୀରୁ ବୋହି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଛି ଯାହା ଦ୍ବାରା ସଂକ୍ରମଣର ଆଶଙ୍କା ବଢ଼ି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.