ଦ୍ଵାଦଶ ପାସ୍ ବିଦ୍ୟାର୍ଥୀଙ୍କୁ ୨୫ ହଜାର ଓ ପ୍ଲସ୍ ୩ ପାସ୍ ଛାତ୍ର-ଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଦେବେ ବିହାର ସରକାର

Published By : Prameya-News7 Bureau | September 25, 2020 IST

ପାଟନା ୨୫।୦୯: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଷ୍ଟ୍ରୋକ୍ ଖେଳିଛନ୍ତି। ରାଜ୍ୟରେ ଏବେ ଯୁକ୍ତ ୨ ପାସ୍ କରୁଥିବା ଛାତ୍ର-ଛାତ୍ରୀଙ୍କୁ ୨୫ ହଜାର ଏବଂ ସ୍ନାତକ ପୂରା କରୁଥିବା ବିଦ୍ୟାର୍ଥୀଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନୀତିଶ କହିଛନ୍ତି ଆମେ ଦକ୍ଷତା ବିକାଶ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା  ପାଇଁ ଏକ ନୂତନ ବିଭାଗ ଖୋଲିବୁ। ଆଇଟିଆଇ ଓ ପଲିଟେକ୍‌ନିକ ସଂସ୍ଥା ଏହାର ଅଧୀନରେ ରହିବେ। ଯେଉଁ ଲୋକ ବ୍ୟବସାୟ ଆରମ୍ଭ କରିବେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହା ସହିତ ନୀତିଶ କୁମାର ନିର୍ବାଚନ ଆୟୋଗ ଦ୍ଵାରା ଘୋଷିତ ନିର୍ବାଚନ ତାରିଖକୁ ସ୍ଵାଗତ କରିଛନ୍ତି।

ଅନ୍ୟପଟେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀ କହିଛନ୍ତି ବିହାର ବିଧାନସଭା ନିର୍ବାଚନ ଠିକ୍ ସମୟରେ କରିବା ପାଇଁ ନିର୍ବାଚନ ଆୟୋଗ ଯେଉଁଭଳି ପ୍ରବଳ ପ୍ରଶାସନିକ ଇଚ୍ଛାଶକ୍ତି ଦେଖାଇଛନ୍ତି ତାହା ପ୍ରଶଂସନୀୟ। ଯେତେବେଳେ କରୋନାକାଳରେ ପୂରା ସାବଧାନତାର ସହ ଅର୍ଥବ୍ୟବସ୍ଥା ଖୋଲା ଯାଉଛି, ପର୍ଯ୍ୟଟନ ସ୍ଥଳ, ମେଟ୍ରୋ ଓ ଧାର୍ମିକ ସ୍ଥଳ ଖୋଲା ଯାଉଛି ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଦିଆଯାଉଥିବା ଦଲିଲ୍‌ ଠିକ୍ ନୁହେଁ।

ଉଲ୍ଲେଖନୀୟ ବିହାର ନିର୍ବାଚନ ବିଧାନସଭା ପାଇଁ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିଛନ୍ତି। ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର ୨୮ରେ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ ଓ ତୃୀତୟ ପର୍ଯ୍ୟାୟ ନଭେମ୍ବର ୭ରେ ହେବ । ଫଳାଫଲ ନଭେମ୍ବର ୧୦ରେ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.