ବିହାର ନିର୍ବାଚନ: ୫୦-୫୦ ଫର୍ମୂଲାରେ ଲଢ଼ିବେ ବିଜେପି-ଜେଡିୟୁ, ମହାମେଣ୍ଟରୁ ଅଲଗା ହୋଇପାରେ ଏଲଜେପି

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ ୦୪/୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ବିଜେପି ଓ ଜେଡୟୁ ମଧ୍ୟରେ ଆସନ ବଣ୍ଟନକୁ ନେଇ ଚର୍ଚା ଚାଲିଛି। ଦୁଇ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ଏଯାଏଁ ସାମ୍ନାକୁ ଆସିପାରି ନାହିଁ। ମାତ୍ର କୁହାଯାଉଛି ଦୁଇ ଦଳ ମଧ୍ୟରେ ୫୦-୫୦ ପ୍ରତିଶତ ଉପରେ ଆସନ ବଣ୍ଟା ଯାଇପାରେ। ଅନୁମାନ କରାଯାଉଛି ଖୁବଶୀଘ୍ର ଆସନ ବୁଝାମଣା ଘୋଷଣା ହେବ। ଦିଲ୍ଲୀର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ବିହାର ନିର୍ବାଚନକୁ ନେଇ ଗୁରୁତ୍ବପୂଣ୍ର୍ଣ ବୈଠକ ଚାଲିଛି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ଅଛନ୍ତି।

ସୂତ୍ର ଅନୁସାରେ ଜେଡିୟୁକୁ ବିହାର ବିଧାନସଭା ପାଇଁ ସମୁଦାୟ ୨୪୩ ସିଟରୁ ୧୨୨ଟି ସିଟ୍ ମିଳିପାରେ। ବିଜେପିକୁ ୧୨୧ଟି ଆସନ ମିଳିବ। ନୀତିଶ କୁମାରଙ୍କ ଦଳ ହିନ୍ଦୁସ୍ତାନି ଆବାମ ମୋର୍ଚାକୁ ନିଜ କୋଟାରୁ ସିଟ ଦେବ। ଗତ କିଛି ଦିନ କଥା ଯଦି ଆଲୋଚନା କରାଯାଏ ଏନିଡିଏ ମହାମେଣ୍ଟରେ ସବୁକିଛି ଠିକ୍ ଚାଲି ନାହିଁ। ନୀତିଶ କୁାମର ଓ ରାମ ବିଳାସ ପାସବାନଙ୍କ ପୁଅ ଚିରାଗ ପାସବାନଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଏପରିକି ଚିରାଗ ଆସନ ବଣ୍ଟନକୁ ନେଇ ତୁରନ୍ତ ଘୋଷଣା କରିବାର ନିଷ୍ପତି ନେଇଥିଲେ।

ରାମ ବିଳାସ ପାସବାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ଏଥର ନିର୍ବାଚନରେ ଅଧିକ ସିଟ୍ ପାଇଁ ଦାବି କରିଛି। ଏ ନେଇ ଚିରାଗ କୌଣସି ପରିସ୍ଥିତିରେ ବି ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି। ନୀତିଶ ଓ ମୋଦିଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ସେ ଓହ୍ଲାଇପାରନ୍ତି। ପ୍ରାରମ୍ଭରୁ ହିଁ ନୀତିଶ  କୁମାରଙ୍କ ଶାସନ ଓ ଆଇନ ବ୍ୟବସ୍ଥା ତଥା ବିକାଶ ପ୍ରସଙ୍ଗକୁ ନେଇ ସେ ଘେରିକି ରହିଛନ୍ତି। ସେ ଏକଥା ବି କହିଛନ୍ତି ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ସେ ୧୪୩ ଆସନରେ ଏ ନିର୍ବାଚନ ଲଢ଼ିପାରିବେ। ଅନ୍ୟପକ୍ଷେ ଜେଡୟୁ ସ୍ପଷ୍ଟ କରିଛି ଯେ ବିହାରରେ ମହାମେଣ୍ଟ ବିଜେପି ସହ ରହିଛି ଏଲଜେପି ସହ ନୁହେଁ।

ଏଲଜେପି କହିଛି ମହାମେଣ୍ଟରୁ ଅଲଗା ହେବ ନାହିଁ। କାରଣ ଦଳ ଜାତୀୟ ସ୍ତରରେ ଏନଡିଏର ଅଂଶ। ତେବେ ଏଲଜେପି ବିଜେପି ସହଯୋଗୀ ଭାବେ ନିର୍ବାଚନ ଲଢ଼ିବ।

ସୂଚନାଯୋଗ୍ୟ ବିହାରାରେ ଅକ୍ଟୋବର ୨୮, ନଭେମ୍ବର ୩, ନଭେମ୍ବର ୭ ଏହି ତିନି ପର୍ଯ୍ୟାୟରେ ମତଦାନ ହେବ। ଏହାର ଫଳାଫଳ ନଭେମ୍ବର ୧୦ରେ ଘୋଷଣା କରାଯିବ। କରୋନା କାଳରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ଏନେଇ ନିର୍ବାଚନ କମିଶନ କିଛି ଗାଇଡଲାଇନ୍ସ ମଧ୍ୟ ଲାଗୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.