କାଷ୍ଟ କୋଟା ୬୫ ପ୍ରତିଶତ କରିବାକୁ ବିହାର ବିଧାନସଭାରେ ବିଲ୍ ପାସ୍

Published By : Prameya-News7 Bureau | November 09, 2023 IST

ନୂଆଦିଲ୍ଲୀ: ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ସଂରିଜର୍ଭେସନ ଆମେଣ୍ଡମେଣ୍ଟ ବିଲ୍ ବିହାର ବିଧାନସଭାରେ ପାସ୍ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏହି ପ୍ରସ୍ତାବ ଗତ ମଙ୍ଗଳବାର କ୍ୟାବିନେଟ୍‌ ମୋହର ମାରିଥିଲା। ଗୁରୁବାର ବିଧାନସଭାରେ ବିଲ୍ ପାସ୍ ହୋଇଛି।

ରାଜ୍ୟର ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିପାଇଁ ସଂରକ୍ଷଣ ଯୋଗାଇବାକୁ ରାଜ୍ୟରେ ୬୫ ପ୍ରତିଶତ ସଂରକ୍ଷଣ ଦେବାକୁ ସୋମବର ନୀତୀଶ କୁମାର ଘୋଷଣା କରିଥିଲେ। କେନ୍ଦ୍ରର ୧୦ ପ୍ରତିଶତ ସଂରକ୍ଷଣକୁ ମିଶାଇଲେ ମୋଟ ୭୫ ପ୍ରତିଶତ ସଂରକ୍ଷଣ ବିହାର ପଛୁଆବର୍ଗଙ୍କୁ ମିଳିବ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ରହିବ ନାହିଁ। ହେଲେ ବିହାର କିନ୍ତୁ ଏହାର ବିପରୀତ କାର୍ଯ୍ୟ କରିଛି।

ଅନୁସୂଚିତ ଜାତିଙ୍କ ପାଇଁ ୨୦ ପ୍ରତିଶତ, ଜନଜାତିଙ୍କ ପାଇଁ ୨ ପ୍ରତିଶତ ଓ ଓବିସିଙ୍କ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ପାଇଁ କୁହାଯାଇଛି। ବର୍ତ୍ତମାନ ରାଜ୍ୟରେ ଶିକ୍ଷା ଓ ନିଯୁକ୍ତିରେ ଆର୍ଥିକ ଦୁର୍ବଳଙ୍କ ପାଇଁ ୧୮ ପ୍ରତିଶତ, ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୨ ପ୍ରତିଶତ, ଅନୁସୂଚିତ ଜାତିଙ୍କ ପାଇଁ ୧୬, ଜନଜାତିଙ୍କ ପାଇଁ ୧ ଏବଂ ପଛୁଆ ବର୍ଗ ମହିଳାଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ମିଳୁଛି।

ତେବି ବିଲ୍ ପାସ୍ ବେଳେ ବିଜେପି ବିରୋଧ କରିଥିଲା। ସଂରକ୍ଷଣରେ କେଉଁଠି ବି ଆର୍ଥିକ ଦୁର୍ବଳ କଥା କୁହାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଥିଲା। ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ କୌଣସି ଦ୍ୱନ୍ଦ୍ୱ ରହିବା କଥା ନୁହେଁ ବୋଲି ବିଜେପି କହିଛି।

ଅନ୍ୟପଟେ ନୀତୀଶ କହିଛନ୍ତି ଯେ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରି ସଂରକ୍ଷଣ ବଢ଼ାଇବା ଉଚିତ। ତେବେ ମଧ୍ୟବିତ୍ତିଙ୍କ ପାଇଁ ବିହାର ସରକାର କାମ କରୁଛନ୍ତି। ସେହିଭଳି ପରିବାରଙ୍କୁ ମୁଁ ୨ ଲକ୍ଷ ଦେବି।  ଏଥିରେ ୨.୫ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ ହେବ। ତେବେ କେନ୍ଦ୍ର ସରକାର ବିହାରକୁ ସ୍ୱତନ୍ତ୍ର ଷ୍ଟାଟସ ଦିଅନ୍ତୁ ବୋଲି ନୀତୀଶ କୁମାର କହିଛନ୍ତି।

ସୂଚନା ଥାଉକି ବିହାର ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଇବା ପରେ ପଛୁଆ ବର୍ଗଙ୍କ ସ୍ଥିତି ଦେଖି ସଂରକ୍ଷଣ ବଢ଼ାଇବାକୁ ଚିନ୍ତା କରିଥିଲେ ନୀତୀଶ କୁମାର। ତେଣୁ କେନ୍ଦ୍ର ମଧ୍ୟ ଜନଗଣନା କରି ସଂରକ୍ଷଣ ବଢ଼ାଉ ବୋଲି ନୀତୀଶ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.