କନିଆଁ ନେଇଛନ୍ତି ଟିକା, ଦରକାର ଟିକା ନେଇଥିବା ବର : ଭାଇରାଲ ହେଲା ମାଟ୍ରିମୋନିଆଲ ବିଜ୍ଞାପନ, ତା' ପଛର ସତ କାହାଣୀ ଏମିତି...

Published By : Prameya-News7 Bureau | June 09, 2021 IST

ଗୋଆ, ୦୯/୦୬:   ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଅନେକ କାର୍ଯ୍ୟକ୍ରମ ବାତିଲ ହେଉଛି । କଟକଣାରେ ସମ୍ପନ୍ନ ହେଉଛି ବିବାହ । କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ମାଟ୍ରିମୋନିଆଲ୍ ଆଡ୍ ବା ବିବାହ ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି । ଯାହାକୁ କଂଗ୍ରେସ ନେତା ଶଶି ଥରୁର ଜୁନ ୮ରେ ଟ୍ୱିଟ୍ କରିଥିଲେ । ଏହାସହ ଲେଖିଥିଲେ ଯେ, ଟିକା ଲଗାଇଥିବା ବୋହୂ, ଭାକସିନ୍ ନେଇଥିବା ବରକୁ ଖୋଜୁଛି । ବିବାହରେ ଏବେ ଟିକା ନେଇଥିବା ବ୍ୟକ୍ତିଙ୍କୁ ପସନ୍ଦ କରୁଛନ୍ତି । କଣ ଭବିଷ୍ୟତରେ ଏହା ହେବାକୁ ଯାଉଛି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।

ସୋସିଆଲ ମିଡିଆ ୟୁଜର ଏହାକୁ ନେଇ ନିଜର ମତ ରଖିଛନ୍ତି । ଅନେକ ଏହାକୁ ମଜାଳିଆ କହିଥିବା ବେଲେ ଆଉ କିଛି ଏହା ସମୟ ଅନୁସାରେ ବଦଳୁଥିବା ପ୍ରଥା ବୋଲି କହିଛନ୍ତି ।

ଶଶି ଥରୁରଙ୍କ ଦ୍ୱାରା ସେୟାର ହୋଇଥିବା ବିଜ୍ଞାପନରେ ଲେଖାଯାଇଥିଲା ଯେ, କୋଭିସିଲ୍ଡର ଦୁଇଟି ଡୋଜ୍ କନ୍ୟା ନେଇ ସାରିଛି । ବର ମଧ୍ୟ ଭାକସିନର ଦୁଇଟି ଡୋଜ୍ ନେଇଥିବା ଆବଶ୍ୟକ । ଏହି ଟ୍ୱିଟକୁ ୬ ହଜାରରୁ ଅଧିକ ୟୁଜର ଲାଇକ୍ ଓ ରି ଟ୍ୱିଟ୍ କରି ସାରିଛନ୍ତି ।

ପ୍ରକୃତ କଥା ହେଉଛି ଏହି ଆଡ୍ ବା ବିଜ୍ଞାପନ ଏକ କ୍ୟାମ୍ପେନ୍ ଅଟେ । ଯାହାକୁ ଗୋଆର ଜଣେ ବ୍ୟକ୍ତି ସାଭିଓ ଫିଗୁଏରେଡୋ ସେୟାର କରିଥିଲେ । ଲୋକମାନେ କିପରି ଅଧିକରୁ ଅଧିକ ଭାକସିନ୍ ନେବେ ତାହା ହିଁ ଏହି ବିଜ୍ଞାପନର ଉଦ୍ଦେଶ୍ୟ ଅଟେ ।ପ୍ରଥମେ ଏହି ଆଡ୍‌କୁ ସେ ଫେସବୁକରେ ସେୟାର କରିଥିଲେ । ବ୍ୟକ୍ତି ଜଣଙ୍କ ଆଡ୍ ସହ ଏକ ଟିକାକରଣ କେନ୍ଦ୍ରର ଫୋନ୍ ନମ୍ବର ମଧ୍ୟ ସେୟାର କରିଥିଲେ ।

ଜାତୀୟ ଗଣମାଧ୍ୟମ ସହ କଥା ହୋଇ ଏହି ୫୮ ବର୍ଷୀୟ ବ୍ୟକ୍ତିଜଣଙ୍କ କହିଛନ୍ତି ଯେ,ସେ ଲୋକଙ୍କୁ ଅଧିକରୁ ଅଧିକ ଟିକାକରଣରେ ସାମିଲ କରିବାକୁ ଏପରି ଅଭିନବ ଉପାୟ ଭାବିଥିଲେ । ଏହାକୁ ସେ ଫେସବୁକରେ ପୋଷ୍ଟ କରିଥିଲେ । ପରେ ଏହା ଭାଇରାଲ ହୋଇଥିଲା । ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିଥିବାରୁ ସେ ଖୁସି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.