ଦିପାବଳୀ ପୂର୍ବରୁ ମାଲାମାଲ ହେଲା ଭାରତ, ୪ ମାସରେ ସବୁଠୁ ଅଧିକ ବଢ଼ିଲା ଫୋରେକ୍ସ ରିଜର୍ଭ

Published By : Prameya-News7 Bureau | November 11, 2023 IST

ମୁମ୍ବାଇ ୧୧।୧୧: ଦିପାବଳୀ ପୂର୍ବରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତର ଫୋରେକ୍ସ ରିଜର୍ଭ ୭ ସପ୍ତାହର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ତେବେ ସବୁଠୁ ବଡ଼ କଥା ହେଉଛି ଫୋରେକ୍ସ ରିଜର୍ଭରେ ପାଖାପାଖି ୪ ମାସ ପରେ ସବୁଠୁ ବଡ଼ ଅଭିବୃଦ୍ଧି ଦେଖାଯାଇଛି। ଫଳରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ବିଦେଶୀ ଧନ ୫୯୦ ବିଲିୟନ ଡଲାରରୁ ବି ଅଧିକ ହୋଇଛି। ତାଜା ତଥ୍ୟ ଅନୁସାରେ ଦେଶର ଫୋରେକ୍ସ ରିଜର୍ଭରେ ପାଖାପାଖି ୪୦ ହଜାର କୋଟି ଟଙ୍କାର ଅଭିବୃଦ୍ଧି ଦେଖାଯାଇଛି।

ନଭେମ୍ବର ୩ ତାରିଖରେ ସମାପ୍ତ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୪.୭ ବିଲିୟନ ଡଲାର ଅର୍ଥାତ ୪୦ ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି। ଏହା ପୂର୍ବରୁ ୧୪ଜୁଲାଇରେ ସମାପ୍ତ ହୋଇଥିବା ସପ୍ତାହରେ ୧୨ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ଦେଖାଯାଇଥିଲା। ଏହା ପରେ ସେପ୍ଟେମ୍ବର ୧ ତାରିଖ ବେଳକୁ ୪.୨ ବିଲିୟନ ଡଲାରର ଅଭିବୃଦ୍ଧି ଦେଖାଯାଇଥିଲା। ହେଲେ ଏଥରକ ୪.୭ ବିଲିୟନ ଡଲାରର ବୃଦ୍ଧି ହୋଇଛି।

ଏମିତିରେ ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ଏବେବି ୬୦୦ ବିଲିୟନ ଡଲାରରୁ ତଳେ ଅଛି। ଏହା ସତ୍ତ୍ୱେ ଦେଶର ଫୋରେକ୍ସ ରିଜର୍ଭ ୭ ସପ୍ତାହର ସର୍ବୋଚ୍ଚସ୍ତରକୁ ଛୁଇଁଛି। ତଥ୍ୟ ଅନୁସାରେ ଦେଶର ଫୋରେକ୍ସ ରିଜର୍ଭ ବର୍ତ୍ତମାନ ସମୟରେ ୫୯୦.୭୮ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଏହା ପୂର୍ବରୁ ଏହି ସ୍ତର ସେପ୍ଟେମ୍ବର ୨୨ରେ ୫୯୦.୭୦ ବିଲିୟନ ଡଲାରକୁ ପହଞ୍ଚିଥିଲା। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ଅର୍ଥାତ ଚାଲୁ ଖାତା ଘାଟା ବେଶ୍ ମ୍ୟାନେଜେବଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.