ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି, ଅଯୋଗ୍ୟ ଘୋଷିତ ନୋଟିସ୍ ଉପରେ ଲାଗିଲା ରୋକ୍

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ବିଧାୟକ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି। ଉପ ବାଚସ୍ପତିଙ୍କ ଦ୍ଵାରା ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ନୋଟିସ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ନୋଟିସ୍ ଉପରେ ଜବାବ ଦେବା ପାଇଁ ଉପ ବାଚସ୍ପତିଙ୍କୁ ଜୁଲାଇ ୧୧ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ସମୟ ଦେଇଛନ୍ତି। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ ତାରିଖ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଏକନାଥ ସିନ୍ଦେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଉପ ବାଚସ୍ପତି ସମେତ ମହାରାଷ୍ଟ୍ର ବିଧାନସଭାର ସଚିବ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପାଞ୍ଚ ଦିନ ଭିତରେ ନୋଟିସ୍‌ର  ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାର ସକ୍ଷମ ଅଧିକାରୀଙ୍କଠୁ ଜବାବ ଲୋଡାଯିବ। ସୁପ୍ରିମକୋର୍ଟ କଡା ଶବ୍ଦରେ ଉପ ବାଚସ୍ପତିଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି। ଅଦାଲତ କହିଛନ୍ତି ଉପ ବାଚସ୍ପତି ନିଜେ ଜଜ୍ ହୋଇ ଯାଇଛନ୍ତି। ଉପ ବାଚସ୍ପତିଙ୍କ କାର୍ଯ୍ୟାଳୟର ସମସ୍ତ ରେକର୍ଡ ଦେଖାଯିବ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ପ୍ରଥମେ ସିନ୍ଦେ ଗୋଷ୍ଠୀଙ୍କ ଦଲିଲ ଶୁଣିଥିଲେ। ମହାରାଷ୍ଟ୍ର ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା କୋର୍ଟରେ କହିଛନ୍ତି ସିନ୍ଦେ ଗୋଷ୍ଠୀଙ୍କ ଓକିଲ। ଗୌହାଟୀରେ ଡେରା ପକାଇଥିବା ବିଧାୟକଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳୁଛି। ଉଦ୍ଧବ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ ଅଭିଷେକ ମନୁ ସିଙ୍ଘଭି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.