ଅକ୍ଷୟଙ୍କ ଫିଲ୍ମ ସେଟ୍ରେ ବଡ ଦୁର୍ଘଟଣା, ସୁଟିଂ ବେଳେ ୧୦୦ ଫୁଟ ଉଚ୍ଚରୁ ଖସିପଡିଲେ ଯୁବକ
20/03/2023 at 10:27 AM

ମୁମ୍ଵାଇ ୨୦।୦୩: ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର । ବର୍ତ୍ତମାନ ତାଙ୍କ ଫିଲ୍ମ ‘ବେଡତା ମରାଠେ ବୀର ଦୌଉଲେ ସାତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଛତ୍ରପତି ଶିବଜୀ ମହାରାଜଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ। ସେହି ଚଳଚ୍ଚିତ୍ରର ସୁଟିଂ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୧୯ ବର୍ଷର ଜଣେ ଯୁବକ ୧୦୦ ଫୁଟ ଦୁର୍ଗର ତଳକୁ ଖସି ପଡିଛନ୍ତି। ହେଲେ ସୋର୍ସରୁ ଜଣାପଡିଛି କି ଏହି ଯୁବକ ଗୁରୁତର ଆହତ ହୋଇଛନ୍ତି। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ନାଗେଶ ଖୋବ୍ରେ।
ନାଗେଶଙ୍କ ଦୁର୍ଘଟଣା ଶନିବାର ରାତି ପ୍ରାୟ ୯ଟା ସମୟରେ ଘଟିଥିଲା । ମହେଶ ମଞ୍ଜରେକର ଗତ କିଛି ଦିନ ହେବ ପାନହଲଗଡରେ ତାଙ୍କ ଚଳଚ୍ଚିତ୍ର ସୁଟିଂ କରୁଛନ୍ତି। କୁହାଯାଉଛି ଯେ ନାଗେଶ ଶନିବାର ରାତି ପ୍ରାୟ ୯ଟା ବେଳେ ପାନହଲଗଡର ଦୁର୍ଗ ଉପରେ ସନ୍ତୁଳନ ହରାଇ ୧୦୦ ଫୁଟ ତଳକୁ ଖସିପଡିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଏହା ଦେଖି ତୁରନ୍ତ ତାଙ୍କୁ ସାହାଯ୍ୟ କରିବା ପାଇଁ ଦଉଡି ଯାଇ ଉଦ୍ଧାର କରିଥିଲେ।
ଏହି ଦୁର୍ଘଟଣା ପରେ ନାଗେଶଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ଏହାର କିଛି ସମୟ ପରେ ନାଗେଶଙ୍କୁ ମହାରାଷ୍ଟ୍ରର ନାଗେଶ ସି.ପି.ଆର କୋଲହାପୁରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ନାଗେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବର୍ତ୍ତମାନ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ଚିକିତ୍ସା ଚାଲିଛି। ନାଗେଶଙ୍କ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କିମ୍ବା ମହେଶ ମଞ୍ଜରେକରଙ୍କ ଟିମ୍ ପକ୍ଷରୁ କୌଣସି ସୂଚନା ମିଳି ନାହିଁ।