ଏନଆଇସି ଉପରେ ସାଇବର ଆକ୍ରମଣ, ପ୍ରଧାନମନ୍ତ୍ରୀଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ଚୋରି
18/09/2020 at 2:06 PM

ନୂଆଦିଲ୍ଲୀ ୧୮/୦୯: ଭାରତର ସବୁଠୁ ବଡ଼ ଡାଟା ଏଜେନ୍ସି ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ଉପରେ ସାଇବର ଆକ୍ରମଣ ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣକୁ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଏହି ସାଇବର ଆକ୍ରମଣ ମାଧ୍ୟମରେ ଏନଆଇସିର ଅନେକ କମ୍ପ୍ୟୁଟରକୁ ଟାର୍ଗେଟ କରାଯାଇଛି। ଏହା ସହ ସମ୍ବେଦନଶୀଳ ତଥ୍ୟକୁ ଚୋରି କରାଯାଇଛି।
ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ରହିଥିବା ଜଣାପଡ଼ିଛି। ଏଣୁ ଏହାକୁ ଅତି ମାରାତ୍ମକ ବୋଲି କୁହାଯାଇଛି। ତେବେ ଏଇ ସାଇବର ଆଟାର୍କ ବେଙ୍ଗାଲୁରୁର ଏକ ଫାର୍ମ ତରଫରୁ କରାଯାଇଛି। ଯାହାର ସଂଯୋଗ ଆମେରିକା ସହ ରହିଛି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ତଥ୍ୟ ସମେତ ଭାରତୀୟ ନାଗରିକ ଓ ବଡ଼ ବଡ଼ ଭିଆଇପି ବ୍ୟକ୍ତିଙ୍କ ତଥ୍ୟ ରହିଛି।
ଏନଆଇସି କମ୍ପ୍ୟୁଟର କର୍ମଚାରୀମାନଙ୍କୁ ଇ-ମେଲ ଆସିଥିଲା। ଯେଉଁମାନେ ସେହି ମେଲର ଲିଙ୍କ ଉପରେ କ୍ଲିକ୍ କଲେ ସେମାନଙ୍କ କମ୍ପ୍ୟୁଟରରୁ ତଥ୍ୟ ଚୋରି ହୋଇଗଲା। ଏହା ପରେ ଦିଲ୍ଲୀ ପୋଲିସକୁ ସୂଚନା ଦିଆଗଲା। ଘଟଣା ସାମ୍ନାକୁ ଆସିବାରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏବେ ଏହାର ତଦନ୍ତ କରୁଛି।