ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଜାଣନ୍ତୁ କେଉଁ ଜିଲ୍ଲାର ଜିଲ୍ଲାପାଳ ବଦଳିଲେ

Published By : Prameya-News7 Bureau | September 09, 2020 IST

ଭୁବନେଶ୍ଵର ୦୯।୦୯: କରୋନା ବିରୋଧରେ ଜାରି ଲଢେଇ ମଧ୍ୟରେ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ବଦଳିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଦାସଙ୍କୁ ଓଡିଆ ଭାଷା ଓ ସଂସ୍କୃତି ସଚିବ ଭାବେ ନିଯୁକ୍ତ କରାଯାଇଛି। ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଦାୟିତ୍ଵ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି।

ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇ ପଞ୍ଚାୟତିରାଜ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ତାଙ୍କ ଜାଗାରେ ମୟୂରଭଞ୍ଜ ପିଡି ଡିଆରଡିଏ ଚଞ୍ଚଳ ରଣାଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଦାୟିତ୍ଵ ଦିଆଯାଇଛି। ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ସ୍ଵାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ କରାଯାଇଛି। ସେହି ପରି ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନର ଅତିରିକ୍ତ ସଚିବ  ହୋଇଛନ୍ତି।

ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଜଳ ସଂପଦ ବିଭାଗର ଉପ ସଚିବ ପଦରେ ନିଯୁକ୍ତ କରାଯାଇଛି। ମୟୂରଭଞ୍ଜ ଏଡିଏମ ସ୍ଵାଧା ଦେବ ସିଂହଙ୍କୁ ନୂଆପଡା ଜିଲ୍ଲାପାଳ ଦାୟିତ୍ଵ ଦିଆଯାଇଛି। ବ୍ରହ୍ମପୁର ଉପ ଜିଲ୍ଲାପାଳ ଦତ୍ତାତ୍ରେୟ ବି ସନ୍ଦେ ହେଲେ ଗଞ୍ଜାମ ପିଡି ଡିଆରଡିଏ। ଗଞ୍ଜାମ ଓଏସଡି କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦାୟିତ୍ଵ ଦିଆଯାଇଛି। ଗଜପତି ଓଏସଡି ଜେ ସୋନାଲଙ୍କୁ ଗୁଣପୁର ଉପଜିଲ୍ଲାପାଳ ପଦରେ ନିଯୁକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.