ମମତା ସରକାରଙ୍କୁ ବଡ଼ ଝଟକା, ଜାରି କରିଥିବା ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ରଦ୍ଦ କଲେ ହାଇକୋର୍ଟ

Published By : Prameya-News7 Bureau | May 22, 2024 IST

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା। କଲିକତା ହାଇକୋର୍ଟ ମମତା ବାନାର୍ଜୀଙ୍କ ସରକାରଙ୍କ କାର୍ଯ୍ୟକାଳ ସମୟରେ ଜାରି ପାଞ୍ଚ ଲକ୍ଷ ଓବିସି ସାର୍ଟିଫିକେଟ ରଦ୍ଦ କରିଛନ୍ତି। କୁହାଯାଉଛି ଯେ, ଏଥିରେ ବହୁ ମାତ୍ରାରେ ମୁସଲିମ୍‌ ସଂପ୍ରଦାୟ ରହିଛନ୍ତି। ବୁଧବାର ବିଚାରପତି ତପୋବ୍ରତ ଚକ୍ରବର୍ତ୍ତୀ ଏବଂ ବିଚାରପତି ରାଜଶେଖର ମନ୍ଥରଙ୍କ ଖଣ୍ଡପୀଠ କହିଛନ୍ତି ୨୦୧୧ରୁ କୌଣସି ମାନକ ନିୟମ ପାଳନ ନକରି ରାଜ୍ୟରେ ଓବିସି ସାର୍ଟିଫିକେଟ ଜାରି କରାଯାଉଛି।

ପୀଠ ଟିପ୍ପଣୀ କରିଛନ୍ତି ଯେ, ଏଭଳି ଓବିସି ପ୍ରମାଣ ପତ୍ର ଜାରି କରିବା ଅସାମ୍ବିଧାନିକ। ପ୍ରମାଣ ପତ୍ର ପଛୁଆ ବର୍ଗ ଆୟୋଗଙ୍କ ପରାମର୍ଶ ନମାନି ଜାରି କରାଯାଇଛି। ଏଥିପାଇଁ ଏହି ସବୁ ପ୍ରମାଣ ପତ୍ରକୁ ରଦ୍ଦ କରାଯାଉଛି। ଅବଶ୍ୟ କୋର୍ଟ କହିଛନ୍ତି ଏହି ସମୟରେ ଜାରି ସାର୍ଟିଫିକେଟ ଆଧାରରେ ଚାକିରି ପାଇଥିବା ବ୍ୟକ୍ତିଙ୍କ ଚାକିରି ବଜାୟ ରହିବ। 

୨୦୧୧ ମେରେ ପଶ୍ଚିମବଙ୍ଗ ଶାସନ ସମ୍ଭାଳିବା ପରଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଦାବି କରୁଆସୁଛନ୍ତି ଯେ, ତାଙ୍କ ସରକାର ପ୍ରାୟ ସବୁ ମୁସଲମାନଙ୍କୁ ଓବିସି ଶ୍ରେଣୀକୁ ଆଣିଛନ୍ତି ଆଉ ମୁସଲିମ ସଂପ୍ରଦାୟର ବଡ଼ ସଂଖ୍ୟାରେ ଏହି ସଂରକ୍ଷଣର ଲାଭ ଉଠାଉଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ସେମାନେ ବାରମ୍ବାର ଏହାକୁ ଦୋହରାଇଥିଲେ କିନ୍ତୁ ଏବେ କଲିକତା ହାଇକୋର୍ଟ କହିଛନ୍ତି ମମତା ବାନାର୍ଜୀ ସରକାର ୨୦୧୧ ପରଠାରୁ ଯେଉଁ ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ଜାରି କରିଛନ୍ତି, ତାହା ଅବୈଧ।

ହାଇକୋର୍ଟ କହିଛନ୍ତି ଓବିସି ତାଲିକା, ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ ଅନୁଯାୟୀ ହିଁ ପ୍ରସ୍ତୁତ କରିବା ଦରକାର। ତାଲିକାରେ କେବଳ ସେହି ଜାତିକୁ ସାମିଲ କରାଯାଇପାରିବ ଯାହା ୨୦୧୦ ପର୍ଯ୍ୟନ୍ତ ଓବିସି ସଂପ୍ରଦାୟ ସହ ଜଡ଼ିତ। କୋର୍ଟ କହିଥିଲେ ଏହା ପରେ ତାଲିକାରେ ଯୋଡ଼ାଯାଇଥିବା ଅନେକ ଜାତିକୁ ପ୍ରଥମେ ବିଧାନସଭାରେ ପାରିତ କରିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.