ଭାରତୀୟ ଦଳକୁ ଲାଗିଲା ବଡ ଝଟକା, ତୃତୀୟ ଦିନିକିଆରୁ ବାଦ୍ ପଡିଲେ ତିନି ଖେଳାଳି

Published By : Prameya-News7 Bureau | December 07, 2022 IST

ଢାକା: ବାଂଲାଦେଶ ବିପକ୍ଷରେ ଦିନିକିଆ ଶୃଙ୍ଖଳା ହାରିବା ପରେ ଏବେ ଭାରତୀୟ କ୍ରିକେଟ୍ ଦଳକୁ ଲାଗିଛି ଆଉ ଏକ ବଡ ଝଟକା। ଆହତଜନିତ ସମସ୍ୟା କାରଣରୁ ଦଳର ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନ ତୃତୀୟ ଦିନିକିଆରୁ ବାଦ୍ ପଡିଛନ୍ତି।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ଵିତୀୟ ମୁକାବିଲା ବୁଧବାର ଖେଳାଯାଇଛି। ତେବେ ମ୍ୟାଚ୍‌ରେ ତିନି ଖେଳାଳି ଆହତ ହୋଇଛନ୍ତି। ଭାରତୀୟ ଦଳ ମଧ୍ୟ ୫ ରନରେ ମ୍ୟାଚ୍ ହାରିବା ସହ ଶୃଙ୍ଖଳା ହାତଛଡା କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଘରୋଇ ବାଂଲାଦେଶ ୨-୦ରେ ଅଗ୍ରଣୀ ହାସଲ କରିଛି।

ସିରିଜ୍‌ର ତୃତୀୟ ଦିନିକିଆ ଡିସେମ୍ବର ୧୦ରେ ଚଟ୍ଟଗାଓଁରେ ଖେଳାଯିବ। ଦ୍ଵିତୀୟ ଦିନିକିଆ ହାରିବା ପରେ କୋଚ୍ ରାହୁଲ ଦ୍ରାବିଡ ଖେଳାଳିଙ୍କ ଆହତ ଏବଂ ବାଦ୍ ପଡିବା ଉପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ନିଶ୍ଚିତ ଭାବେ କୁଲଦୀପ, ଦୀପକ ଏବଂ ରୋହିତ ପରବର୍ତ୍ତୀ ମ୍ୟାଚ୍ ଖେଳିବେ ନାହିଁ। ସିରିଜ୍‌ରୁ ଏହି ତିନି ଖେଳାଳି ବାଦ୍ ପଡିଛନ୍ତି।

ତିନି ଖେଳାଳି ମୁମ୍ବାଇ ଫେରିଯିବେ ଏବଂ ବିଶେଷଜ୍ଞଙ୍କ ସେମାନଙ୍କ ଆହତର ଯାଞ୍ଚ କରିବେ। ଏହା ପରେ ଜଣା ପଡିବ ଯେ, ସେମାନେ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ରହିବେ କି ନାହିଁ। ତେବେ ତିନି ଖେଳାଳି ଦିନିକିଆ ସିରିଜ୍‌ରୁ ବାଦ୍ ପଡିଥିବା କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧବାର ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ  ଆହତ ହୋଇଛନ୍ତି। କ୍ୟାଚ୍ ଧରିବାକୁ ଉଦ୍ୟମ କରୁଥିବା ସମୟରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ ସ୍କାନ ପାଇଁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଦ୍ଵିତୀୟ ସ୍ଲିପରେ ଫିଲ୍ଡିଂ କରୁଥିବା ରୋହିତ ମହମ୍ମଦ ସିରାଜଙ୍କ ଇନିଂସର ଦ୍ଵିତୀୟ ଓଭରର ଚତୁର୍ଥ ବଲରେ ଅନାମୁଲ ହକଙ୍କ କ୍ୟାଚ୍ ଛାଡିଥିଲେ। ଏହି ସମୟରେ ବଲ୍ ବାଜିବାରୁ ତାଙ୍କ ବାମ ହାତରୁ ରକ୍ତ ବାହାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.