ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା, IPLରୁ ବି ବାଦ୍ ପଡି ପାରନ୍ତି ଶ୍ରେୟସ ଆୟର !

Published By : Prameya-News7 Bureau | March 14, 2023 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଏବେ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ଠିକ୍ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଆହତ ହୋଇଥିବା ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଏବେ ଦିନିକିଆ ଶୃଙ୍ଖଳାରୁ ମଧ୍ୟ ବାଦ୍ ପଡି ପାରନ୍ତି।

ଶ୍ରେୟସ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ବ୍ୟାଟିଂ କରିବାକୁ ଆସିନଥିଲେ। ଅହମ୍ମଦାବାଦ ଟେଷ୍ଟରେ ଲଗାତାର ଦୁଇ ଦିନ ଫିଲ୍ଡିଂ କରିବା ପରେ ଶ୍ରେୟସଙ୍କ ପିଠିର ନିମ୍ନ ଭାଗ ଫୁଲି ଯାଇଥିଲା। ଏହି ସମୟରେ ସେ ଗୋଟିଏ ଓଭର ବୋଲିଂ ବି କରିଥିଲେ। ଯନ୍ତ୍ରଣା ଅଧିକ ହେବାରୁ ସେ ଆଉ ବ୍ୟାଟିଂ କରିବାକୁ ଆସିନଥିଲେ।

ସଂପ୍ରତି ଶ୍ରେୟସ ଆୟର ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ବିସିସିଆଇର ଡାକ୍ତରୀ ଦଳର ନିରୀକ୍ଷଣରେ ଅଛନ୍ତି। ଇଏସପିଏନକ୍ରିକଇନମ୍ଫୋ ଅନୁଯାୟୀ, ଶ୍ରେୟସ ଶୃଙ୍ଖଳାରୁ ବାଦ୍ ପଡି ପାରନ୍ତି। ଅଧିନାୟକ ରୋହିତ ଶର୍ମା ମଧ୍ୟ ଶ୍ରେୟସଙ୍କ ଆହତକୁ ନେଇ କହିଥିଲେ ଯେ, ମୋତେ ଲାଗୁନି ଶ୍ରେୟସ ଠିକ୍ ଅଛନ୍ତି, ଏହା ଆମ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ।

ବିସିସିଆଇ ସୋମବାର  ମାର୍ଚ୍ଚ ୧୩ରେ ନିଜର ବିବୃତିରେ କହିଥିଲା ଯେ, ଶ୍ରେୟସଙ୍କ ଆହତଜନିତ ସମସ୍ୟାକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯିବ। ଯଦି ସେ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡନ୍ତି ତେବେ ତାଙ୍କ ସ୍ଥାନରେ ରଜତ ପାଟିଦାର କିମ୍ବା ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ୍ କରାଯାଇପାରେ।

ବଢିପାରେ କୋଲକାତା ନାଇଟ୍ ରାଇଡର୍ସର ଚିନ୍ତା

ଉଲ୍ଲେଖନୀୟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍) ୨୦୨୩ ସଂସ୍କରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଶ୍ରେୟସ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ। ଏମିତିରେ ସେ ଯଦି ନ ଖେଳନ୍ତି ତେବେ ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିପାରେ। ଯଦି  ଶ୍ରେୟସଙ୍କ ଆଘାତ ଗୁରୁତର ଥାଏ ସେ ଆଇପିଏଲର କିଛି ପ୍ରାରମ୍ଭିକ ମ୍ୟାଚ୍ ଖେଳି ନପାରନ୍ତି।

ଶ୍ରେୟସଙ୍କ ଏହି ଆହତ ସମସ୍ୟା ଏଥିପାଇଁ ଚିନ୍ତାଜନକ, କାରଣ ଏହା ବାରମ୍ବାର  ତାଙ୍କ କ୍ଷେତ୍ରରେ ଦେଖା ଦେଉଛି। ଏହା ପୂର୍ବରୁ ୨୦୨୨ ଡିସେମ୍ବରରେ ବାଂଲାଦେଶ ଗସ୍ତରେ ଶ୍ରେୟସଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥିଲା। ପୁଣି ଏହି ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ମଧ୍ୟ ତାଙ୍କୁ ଦଳରୁ ବାହାରିବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.