ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜୋରଦାର ଝଟକା, ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଲେ କୋର୍ଟ

Published By : Prameya-News7 Bureau | February 27, 2023 IST

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଲାଗିଛି ଜୋରଦାର ଝଟକା। ଦିଲ୍ଲୀର ଏକ ସ୍ଵତନ୍ତ୍ର ଅଦାଲତ ସିସୋଦିଆଙ୍କୁ ପାଞ୍ଚ ଦିନିଆ ସିବିଆଇ ହେପାଜତରେ ପଠାଇଛନ୍ତି।୨୦୨୧-୨୨ର ଅବକାରୀ ନୀତିରେ ଅନିୟମିତାର ଅନେକ ଦିଗକୁ ନେଇ  ଗତକାଲି ଦୀର୍ଘ ଆଠ ଘଣ୍ଟାର ଜେରା ପରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ମାର୍ଚ୍ଚ ୪ ତାରିଖ ଯାଏଁ ସିସୋଦିଆଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଛନ୍ତି। ଏହି ସମୟରେ ସୁରକ୍ଷା ଦୃଷ୍ଟିକୋରଣରୁ ଅଦାଲତ ପରିସର ଭିତରେ ଏବଂ ବାହାରେ ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ୍ ବଳ ମୁତୟନ କରାଯାଇଥିଲା।

ଏହି ଘଟଣାକୁ ନେଇ ବିଜେପି ଏବଂ ଆପ୍ ମଧ୍ୟରେ ରାଜନୈତିକ ଶତ୍ରୁତା ଆହୁରି ବଢିପାରେ। ଆମ୍ ଆଦମୀ ପାର୍ଟିର ଆଜି ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ଘେରାଉ କରିବାର ଯୋଜନା ରହିଛି। ଏହା ପୂର୍ବରୁ ସିବିଆଇ ମଦ ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ପଚରା ଉଚୁରା କରିଥିଲା। ଏହା ପରେ ନଭେମ୍ବର ୨୫ରେ ସିବିଆଇ ନିଜର ଚାର୍ଜସିଟ୍ ଦାଖଲ କରିଥିଲା।ସେହି ସମୟରେ କେନ୍ଦ୍ରୀୟ ଏଜେନ୍ସି ନିଜ ଚାର୍ଜସିଟ୍‌ରେ ସିସୋଦିଆଙ୍କ ନାମ ଉଲ୍ଲେଖ କରିନଥିଲା।କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଏବଂ ଅନ୍ୟ ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚଳାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.