ଉତ୍ତରାଖଣ୍ଡରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା, ଦଳ ଛାଡିଲେ ମୁଖ୍ୟମନ୍ତ୍ରୀ ଚେହେରା ଅଜୟ କୋଠିଆଲ
18/05/2022 at 6:59 PM

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା। ବୁଧବାର ଦଳ ଛାଡିଲେ ବିଧାନସଭା ନିର୍ବାଚନରେ ଆପ୍ର ମୁଖ୍ୟମନ୍ତ୍ରୀ ଚେହେରା ଥିବା କର୍ଣ୍ଣେଲ ଅଜୟ କୋଠିଆଲ। ସେ ନିଜର ଇସ୍ତଫା ପତ୍ର ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନିକଟକୁ ପଠାଇଛନ୍ତି।
କର୍ଣ୍ଣେଲ ଅଜୟ କୋଠିଆଲ ଇସ୍ତଫାରେ ଲେଖିଛନ୍ତି, ୨୦୨୧ ଏପ୍ରିଲ ୧୯ରେ ସେ ଆପ୍ରେ ସାମିଲ୍ ହୋଇଥିଲେ। ଆଉ ଆଜି ୨୦୨୨ ମେ ୧୮ରେ ସେ ପାର୍ଟି ଛାଡୁଛନ୍ତି। ଅଜୟ କୋଠିଆଲ ଆମ୍ ଆଦମୀ ପାର୍ଟିରେ ପ୍ରାୟ ୧୩ ମାସ ରହିଛନ୍ତି। ସେ କେଜ୍ରିଓ୍ଵାଲଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ କହିଛନ୍ତି, ପୂର୍ବତନ ସୈନିକ, ପୂର୍ବତନ ଅଦ୍ଧ ସାମରିକ ବଳ, ବରିଷ୍ଠ ନାଗରିକ, ମହିଳା, ଯୁବ ବର୍ଗ ଏବଂ ବୁଦ୍ଧିଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି।
ଗତ ତିନି ମାସ ପୂର୍ବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଅଜୟ କୋଠିଆଲ ୨୦୨୨ ଫେବୃଆରୀରେ ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢିଥିଲେ କୋଠିଆଲ। ନିର୍ବାଚନ ହାରିବା ସହ ତୃତୀୟ ସ୍ଥାନରେ ରହିଥିଲେ ଏବଂ ତାଙ୍କୁ କେବଳ ୫ ହଜାର ଭୋଟ୍ ମିଳିଥିଲା। ଏଠାରୁ ବିଜେପି ପ୍ରାର୍ଥୀ ସୁରେଶ ଚୌହ୍ଵାନ ନିର୍ବାଚନ ଜିତିଥିଲେ।
ସୂଚନାଯୋଗ୍ୟ, କର୍ଣ୍ଣେଲ ଅଜୟ କୋଠିଆଲ ଭାରତୀୟ ସେନାରେ ଥିଲେ। ସେ ୨୬ ବର୍ଷ ସେନାରେ ରହି ଦେଶ ପାଇଁ କାମ କରିଛନ୍ତି। ତାଙ୍କ ବୀରତ୍ଵର ଅନେକ କାହାଣୀ ଆଜି ମଧ୍ୟ ଲୋକଙ୍କୁ ପ୍ରେରଣା ଦେଉଛି। ସେ ଗତ ବର୍ଷ ଏପ୍ରିଲ ୧୯ରେ ସେନାରୁ ସ୍ଵେଚ୍ଛାକୃତ ଅବସର ନେଇ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।
ଅଜୟ କୀର୍ତ୍ତି ଚକ୍ର, ଶୌର୍ଯ୍ୟ ଚକ୍ର ଏବଂ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇଛନ୍ତି। ସେ ଜଣେ କୁଶଳ ପର୍ବତାରୋହୀ ଏବଂ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ ମାଉଣ୍ଡେନିୟରିଂର ପ୍ରିନ୍ସିପାଲ୍ ଭାବେ କାର୍ଯ୍ୟ କରିଛନ୍ତି। କର୍ଣ୍ଣେଲ ଅଜୟ କୋଠିଆଲଙ୍କ ୟୁଥ ଫାଉଣ୍ଡେସନ ଟ୍ରଷ୍ଟ ଉତ୍ତରାଖଣ୍ଡର ଯୁବକ ଏବଂ ଯୁବତୀଙ୍କୁ ସେନାରେ ଭର୍ତ୍ତି ପାଇଁ ପ୍ରଶିକ୍ଷଣ ଦେଉଛି।